ପୁଣି ଖୋଲିବ ରତ୍ନଭଣ୍ଡାର; ନିରୀକ୍ଷଣ କରିବେ ASI

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ଏଏସ୍ଆଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ନିରୀକ୍ଷଣ କରିବାକୁ ଥିବା ବେଳେ ଏଥିଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସେହିଦିନ ଯେଭଳି ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନହେବ ସେଥିଲାଗି ବିଶେଷ ନୀତି ନିର୍ଘଣ୍ଟ କରାଯାଇଛି। ରତ୍ନଭଣ୍ଡାର ଭିତରେ ଅନ୍ୟ କିଛି ସୁଡ଼ଙ୍ଗ ଅବା ରହସ୍ୟମୟ ଭଣ୍ଡାର ଅଛି କି ନାହିଁ, ସେନେଇ ଯାଞ୍ଚ କରିବେ। ତେଣୁ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି।

ଜିଲ୍ଲା ଟ୍ରେଜେରିରୁ ଚାବି ଆସି ଭିତର ରତ୍ନଭଣ୍ଡାର ଖୋଲାଯିବ। ଅପରପକ୍ଷେ ଦୈନନ୍ଦିନ ନୀତିକାନ୍ତିର ସମୟ ପରିବର୍ତ୍ତନ କରାଯାଇଛି। ସେପ୍ଟେମ୍ବର ୧୫ ଅପରାହ୍ଣ ୧ଟାରୁ ଏଏସ୍‌ଆଇ ପ୍ରତିନିଧି ଦଳ ରତ୍ନଭଣ୍ଡାରରେ ପ୍ରବେଶ କରୁଥିବାରୁ ଅପରାହ୍ଣ ୧ଟାରୁ ରତ୍ନଭଣ୍ଡାର ନିରୀକ୍ଷଣ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ମହାପ୍ରସାଦ ବିକ୍ରି ବନ୍ଦ ହେବନାହିଁ। ଭକ୍ତମାନେ ଚାହିଲେ ସିଂହଦ୍ବାର ବାଇଶିପାହାଚ ଦ୍ବାର ଦେଇ ଆନନ୍ଦବଜାରରୁ ମହାପ୍ରସାଦ ଆଣିପାରିବେ ବୋଲି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସେପ୍ଟେମ୍ବର ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏଏସଆଇ ରତ୍ନଭଣ୍ଡାର ନୀରିକ୍ଷଣ କରିବେ। ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି। ଏଥିସହ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି l

Comments are closed.