ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ ତାରିଖରେ ପ୍ରବଳ ବର୍ଷା ହେବ। ସୋମବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି।
ଏସବୁ ଜିଲ୍ଲା ଗୁଡିକ ହେଉଛି ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା । ରାଜ୍ୟର ପ୍ରାୟ ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ। ୨୪, ୨୫ ଓ ୨୬ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି। ୨୫, ୨୬ ଓ ୨୭ ତାରିଖରେ ସମ୍ବଲପୁରରୁ ସୁନ୍ଦରଗଡ଼ ଯାଏ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ଭାରୀ ବର୍ଷା ହେବ।
୨୬ ତାରିଖରେ ସାରା ରାଜ୍ୟରେ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ। ବିଶେଷ କରି ଆଂଶିକ ଭାବେ ପୂର୍ବ ଓ ପଶ୍ଚିମ ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଶା ରଖାଯାଇଛି।