ଭଦ୍ରକ ସ୍ଥିତି ପରଖିଲେ ପୋଲିସ୍ ଡିଜି ୱାଇ.ବି ଖୁରାନିଆ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଧାମନଗରରେ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ସ୍ବତନ୍ତ୍ର ବୈଠକ କରିଛନ୍ତି। ଜିଲ୍ଲାରେ କିଭଳି ଶାନ୍ତି ଫେରାଇ ଆଣି ହେବ ସେ ବିଷୟରେ ବୈଠକ ଆଲୋଚନା କରିଥିବା ସୂଚନା ମିଳିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ଏହି ଅବସରରେ ସେ କହିଛନ୍ତି, ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ।

ପୁଲିସ ଗୁରୁଦାୟିତ୍ୱ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ। ମାତ୍ର ସୋଶାଲ ମିଡିଆରେ ପୋଷ୍ଟ ହେଉଥିବା ଗୁଜବଠୁ ଦୂରେଇ ରହିବା ସହ ଅଯଥା କମେଣ୍ଟ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପୁଲିସ୍‌ ଡିଜି ୱାଇ.ବି ଖୁରାନିଆ ଆଜି ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ। ଆଜି ଭଦ୍ରକରେ ସେ ଆଉ ଏକ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାଯାଇଛି । ପୁଲିସକୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ସଂଖ୍ୟା ୨୭ରେ ପହଞ୍ଚିଛି । ଭଦ୍ରକ ରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି।

ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ ଅଞ୍ଚଳରେ ବିଏନଏସ ଧାରା ଜାରି ରହିଛି।ଏସବୁ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକ ରେ ୧୨ ପ୍ଲାଟନ ପୁଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଧାମନଗରରେ ୬ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି।

Leave A Reply

Your email address will not be published.