ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂରଣ ହେବ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ । ଆସନ୍ତାକାଲି ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ । ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ଯୋଜନାଭିତ୍ତିକ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ। ରାଜ୍ୟରେ ଶିକ୍ଷାଦାନକୁ ଗୁଣାତ୍ମକ କରିବା ଦିଗରେ ଏହି ନିଯୁକ୍ତି ଏକ ବଡ଼ ପଦକ୍ଷେପ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଏହା ସହାୟକ ହେବ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମନୋନୀତ ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲାରେ ୪୨୪, ବାଲେଶ୍ବରରେ ୬୦୦, ବରଗଡ଼ରେ ୪୭୯, ଭଦ୍ରକରେ ୨୬୦, ବଲାଙ୍ଗିରରେ ୧୦୮୦, ବୌଦ୍ଧରେ ୬୫, କଟକରେ ୮୯୩, ଦେବଗଡ଼ରେ ୨୧, ଢେଙ୍କାନାଳରେ ୫୮୩, ଗଜପତିରେ ୧୩, ଗଞ୍ଜାମରେ ୧୨୬୪, ଜଗତସିଂହପୁରରେ ୮୮, ଯାଜପୁରରେ ୮୭୨, ଝାରସୁଗୁଡ଼ାରେ ୩୮,କଳାହାଣ୍ଡିରେ ୮୧୧, କନ୍ଧମାଳରେ ୧୫୧, କେନ୍ଦ୍ରାପଡ଼ାରେ ୧୦୩୮, କେନ୍ଦୁଝରରେ ୧୩୨୯, ଖୋର୍ଦ୍ଧାରେ ୭୫୩, କୋରାପୁଟରେ ୯୨୨, ମାଲକାନଗିରିରେ ୫୫୫, ମୟୂରଭଞ୍ଜରେ ୮୨୭, ନବରଙ୍ଗପୁରରେ ୮୬୦, ନୟାଗଡ଼ରେ ୮୩, ନୂଆପଡ଼ାରେ ୨୨୧, ପୁରୀରେ ୭୩୩, ରାୟଗଡ଼ାରେ ୫୧୧, ସମ୍ବଲପୁରରେ ୨୧୮, ସୁବର୍ଣ୍ଣପୁରରେ ୧୫୭ ଏବଂ ସୁନ୍ଦରଗଡ଼ରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି।