୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି କଲେ ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲର ୬୬୦ଜଣ ଶିକ୍ଷକଙ୍କୁ ଏକକାଳୀନ ବଦଳି କରିଛନ୍ତି। ଏହି ଶିକ୍ଷକମାନେ ନିଜର ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ କରିଥିବା ଆବେଦନକୁ ବିଚାର କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।  ନୂଆ ଜିଲ୍ଲାରେ ସେମାନେ କେଉଁଠି ନିଯୁକ୍ତି ପାଇବେ ତାହା ସମ୍ପୃକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରାବଧାନ ଆଧାରରେ ସ୍ଥିରୀକୃତ ହେବ ।

ତେବେ ସୂଚନା ମୁତାବକ, ରାଜ୍ୟସ୍ତରୀୟ ବଦଳି କମିଟିର ସୁପାରିଶ ଆଧାରରେ ବିଭିନ୍ନ ଜିଲ୍ଲାରେ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ବର୍ଗର ୬୬୦ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । ଏହି ବଦଳି ପାଇଁ ସମ୍ପୃକ୍ତ ଶିକ୍ଷକମାନେ ଲିଖିତ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାର ଏହି ଶିକ୍ଷକମାନଙ୍କୁ ସେମାନଙ୍କ ପସନ୍ଦର ଜିଲ୍ଲାକୁ ବଦଳି କରିବାବେଳେ କେତେକ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି । ନିଜ ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ କରିଥିବା ଆବେଦନ ଆଧାରରେ ଏହି ୬୬୦ଜଣ ଶିକ୍ଷକଙ୍କ ବଦଳି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ନିଜର ଚାକିରୀ କାଳ ମଧ୍ୟରେ ଥରେ ‘ଦମ୍ପତି ଟ୍ରାନ୍ସଫର’ ପାଇଁ ଯୋଗ୍ୟ ହେବେ । ଯଦି କୌଣସି କନିଷ୍ଠ ଶିକ୍ଷକଙ୍କ ବଦଳି ହୋଇଥିବ ତା’ହେଲେ ସେ ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ ଲେଭଲ-୫ କ୍ୟାଡ଼ରରେ ନିୟମିତ ଶିକ୍ଷକ ହେବାପରେ ସେହି ବଦଳି ସଂକ୍ରାନ୍ତ ତଥ୍ୟ ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିବ । ଏହି ବଦଳି ପାଇଁ ସମ୍ପୃକ୍ତ ଶିକ୍ଷକମାନଙ୍କୁ କୌଣସି ଟିଏ ଅବା ଡିଏ ମିଳିବ ନାହିଁ । ବଦଳି ପରେ ଅବସର ପର୍ଯ୍ୟନ୍ତ ଦୀର୍ଘକାଳୀନ ଛୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ହେବ ନାହିଁ ବୋଲି ନିର୍ଦ୍ଦେଶନାମାନରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.