ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ଗୋଟିଏ ପଟେ ଶୀତର ଆଗମନ ହେଉଥିବା ବେଳେ ଅନ୍ୟ ପଟେ ଦାଉ ସାଧୁଛି ବର୍ଷା। ଚେନ୍ନାଇରେ ଜାରି ରହିଛି ପ୍ରବଳ ଝଡ଼ ବର୍ଷା। ଫଳରେ ଅନେକ ଜିଲ୍ଲାରେ ଜଳସ୍ତର ବଦ୍ଧି ପାଇଛି। ପ୍ରବଳରୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି | ଏହା ଅବପାତରେ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଉତ୍ତର ତାମିଲନାଡୁ, ପଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ଅଗ୍ରସର ହୋଇପାରେ ।
ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଗତ ୨ ଦିନ ହେବ ପ୍ରବଳ ବର୍ଷା ଲାଗି ରହିବା କାରଣକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲଘୁଚାପ ପ୍ରଭାବରେ ଚେନ୍ନାଇରେ ବର୍ଷା ଲାଗି ରହିଛି । ଚେନ୍ନାଇ ସମେତ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଫଳରେ ତିରୁଭାଲୁର, କାଞ୍ଚିପୂରମ ଓ ଚେଙ୍ଗେଲାପାଟୁ ଜିଲ୍ଲାରେ ସ୍କୁଲ ଓ କଲେଜକୁ ଆଜି ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର ।
ଆଇଟି ସଂସ୍ଥାଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଅକ୍ଟୋବର 15 ରୁ 18 ପର୍ଯ୍ୟନ୍ତ ଘରେ କାମ କରିବାକୁ ଅନୁମତି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ତାମିଲନାଡୁର ୯ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ତାମିଲନାଡୁର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ହେବ ଦିନସାରା ବର୍ଷା ହେଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।