ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ଥର ବଢ଼ିବନି ବିଦ୍ୟୁତ ଶୁଳ୍କ । ୨୦୨୨-୨୩ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରହିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ । କୃଷିକ୍ଷେତ୍ର ପାଇଁ ଉଠା ଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ମିଳିବ । ବିଦ୍ୟୁତ ଚାଳିତ ଯାନ ପାଇଁ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ କରାଯାଇଛି ।
ପୂର୍ବବର୍ଷ ଭଳି ୫୦ ୟୁନିଟ୍ ଯାଏ ୟୁନିଟ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ । ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ । ଏହାଛଡ଼ା ଡିଜିଟାଲ ପେମେଣ୍ଟ ପାଇଁ ୩ ପ୍ରତିଶତ ସବସୀଡି ମିଳିବ ।ବିଦ୍ୟୁତ ଶୁଳକ ବାବଦରେ ଓଇଆରସିର ଶୁଣାଣି ବେଳେ ଦର ନ ବଢାଇବାକୁ ରାଜ୍ୟ ସରକାର ଗତ ଫେବ୍ରୁଆରି ୨୦ରେ ଓଇଆରସିଙ୍କୁ ଅନୁରୋଧ କରିଥିଲେ । ବିଦ୍ୟୁତ କ୍ରୟ ବାବଦ ଖର୍ଚ୍ଚ ୧୯ ପଇସା ବଢିଥିଲେ ବି ତାହାକୁ ଆଡଜଷ୍ଟ କରି ଦର ନ ବଢାଇବାକୁ ବିଦ୍ୟୁତ ବିତରଣ କମ୍ପାନିମାନଙ୍କୁ କୁହାଯାଇଥିଲା । ଏହି ବିତରଣ କମ୍ପାନିମାନଙ୍କ ପାଖରେ ୩୫୫ କୋଟିର ବଳକା ରାଶି ଥିବାରୁ ତାହାକୁ ଆଡଜଷ୍ଟ କରିବାକୁ କୁହାଯାଇଛି ।