ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେଣୁ ଶ୍ରକ୍ଷେତ୍ର ପୁରୀ ସହ ରାଜ୍ୟର ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । ସୋମବାର ଅବସରରେ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି। ଏହି ଅବସରରେ ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ଠାକୁରଙ୍କ ନୀତିପାଳିଆ ଦ୍ୱାରା ଭୋର୍ ୪ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ଠାକୁରଙ୍କ ପହଡ଼ ଖୋଲା ଯାଇଥିଲା।
ପ୍ରତ୍ୟୁଷ ୫ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା। କାର୍ତ୍ତିକ ମାସ ସୋମବାର ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ପୀଠରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଠାକୁରଙ୍କ ପୁନଃ ସ୍ନାନ, ଫୁଲଚନ୍ଦନ ଲାଗି, ବାଳଭୋଗ ଅର୍ପଣ ଓ ସନ୍ଧ୍ୟା ଆଳତି ପରେ ପୀଠରେ ଧବଳେଶ୍ୱରଙ୍କ ପଞ୍ଚାନନ ମେଳା ଅନୁଷ୍ଠିତ ହେବ। ସେପଟେ ଭିଡକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ନିୟୋଜିତ ହୋଇଛନ୍ତି l ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ଦର୍ଶନ କରୁଛନ୍ତି।
ପରେ ମଙ୍ଗଳ ଆଳତି, ଚନ୍ଦନ ଅଗୁର ସମେତ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ନଦୀଜଳରେ ପ୍ରଭୁଙ୍କ ସ୍ନାନ ଓ ମାର୍ଜନା କରାଯାଇ ବଲ୍ଲଭ ଭୋଗ, ମଙ୍ଗଳାର୍ପଣ ଖେଚୁଡ଼ି ଭୋଗ ଲାଗି କରାଯାଇ ଆଳତି କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। କାର୍ତ୍ତିକ ସୋମବାର ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ କାର୍ତ୍ତିକ ମାସ ସାରା ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ।