ଡାକ୍ତର ଖାନା ସମ୍ମୁଖରେ ଯୁବକଙ୍କ ହାଇଡ୍ରମା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଗତକାଲି ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଓ ସଫେଇ କର୍ମଚାରୀଙ୍କ ଧସ୍ତାଧସ୍ତି ଘଟଣାରେ ଆଜି ଏକ ନୂଆ ମୋଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣଙ୍କ ସୋର ଡାକ୍ତରଖାନା ସମ୍ମୁଖ ରାସ୍ତାରେ ଶୋଇବା ସହିତ ହାଇଡ୍ରାମା କରିଥିଲେ। ସୂଚନା ଅନୁସାରେ ଗତ ୩୧ ତାରିଖରୁ ସୋର ଥାନା ଅଧିନ ଜୁଣିଆ ଗ୍ରାମର ପ୍ରଶାନ୍ତ ଦାସ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଦାସ ତାଙ୍କର ତିନିମାସ ପୁଅର ଦେହ ଅସୁସ୍ଥ ଥିବାରୁ ସୋର ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି।

ଗତକାଲି ଜଣେ ମହିଳା ସଫେଇ କର୍ମଚାରୀ କ୍ୟାବିନ ସଫା କରିବାକୁ ଯାଇଥିବା ବେଳେ କ୍ୟାବିନ ଅପରିସ୍କାର ଥିବାରୁ ଏବଂ ଅନ୍ୟ ବେଡ଼ରୁ ଗଦି କାଢି ତଳେ ପକାଇଥିବାରୁ ପ୍ରଶାନ୍ତଙ୍କୁ ବାରଣ କରିଥିଲେ।ଏଥିରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପ୍ରଶାନ୍ତ ଉକ୍ତ ମହିଳାଙ୍କ ସଫେଇ ସମୟର ଭିଡିଓ ଉତ୍ତୋଳନ କରିବାରୁ ମହିଳା ଜଣଙ୍କ ତାଙ୍କୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଆଜି ପ୍ରଶାନ୍ତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ବହିଷ୍କାର ଦାବିରେ ଡାକ୍ତରଖାନା ସମ୍ମୁଖ ରାସ୍ତା ଉପରେ ଶୋଇବା ସହିତ ରାସ୍ତା ରୋକ କରିଥିଲେ।

ଦୀର୍ଘସମୟ ପର୍ଯ୍ୟନ୍ତ ରାସ୍ତା ଜାମ ରହିବା ସହିତ ଶତାଧିକ ଲୋକ ନାନାଦି ଅସୁବିଧାକୁ ସମ୍ମୁଖୀନ ହୋଇଥିଲେ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଖବର ପାଇ ସୋର ପୁଲିସ ଓ ବିଧାୟକ ମାଧବ ଧଡ଼ା ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବା ସହିତ ଡାକ୍ତରଖାନାର ଅଧିକ୍ଷକ ସତ୍ୟନାରାୟଣ ନାୟକଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ସେଠାରେ ମଧ୍ୟ ଯୁବକ ଜଣଙ୍କ ଡ୍ରାମା କରିବା ସହିତ ମହିଳା ସଫେଇ କର୍ମଚାରୀ ତାଙ୍କ ଗୋଡ ଧରି କ୍ଷମା ମାଗିବେ ଓ ସେ ଏହାକୁ ଭିଡିଓ ଉତ୍ତୋଲନ କରି ୟୁଟୁବେରେ ଛାଡ଼ିବେ ବୋଲି କହିଥିଲେ। ଫଳରେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣାପଡିଛି।

Comments are closed.