ଓଡିଶାରେ ନାଗ ଚତୁର୍ଥୀ ଉତ୍ସବ ପାଳନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର ନାଗଚତୁର୍ଥୀ ଓଷା । ଆଜିର ଦିନରେ ନାଗଦେବତାଙ୍କୁ ପୂଜା କରାଯାଏ । ନାଗଦେବତାଙ୍କୁ ପୂଜା କଲେ ରୋଗ,ବ୍ୟାଧିରୁ ମୁକ୍ତି ମିଳିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି । ବହୁପ୍ରାଚୀନକାଳରୁ ବିଭିନ୍ନ ଜୀବ ଜନ୍ତୁମାନଙ୍କୁ ପୂଜାକରିବା ପରମ୍ପରା ରହିଆସିଛି । ଗୋମାତା ହିନ୍ଦୁ ଜାତିର ନମସ୍ୟ ଓ ଗୋମାତାଙ୍କ ଦେହରେ ସମସ୍ତ ଦେବା ଦେବୀ ବାସ କରି ଥାନ୍ତି ବୋଲି ବିଶ୍ବାସ ରହିଛି ।

ବୃଷଭ ଦେବଦେବ ମହା ଦେବଙ୍କ ବାହନ ଓ ପୂଜ୍ୟ । ସେମିତି ସର୍ପ ବା ନାଗ ଦେବତା ପୂଜାର ପରମ୍ପରା ଆମର ବହୁ ଶାସ୍ତ୍ର ଓ ପୁରାଣମାନଙ୍କରେ ଦେଖାଯାଏ ଓ ଏହି ପରମ୍ପରାରେ ଗୋଟିଏ ପୂଜା ହେଲା କାର୍ଭିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା । ନାଗ ଚତୁର୍ଥୀ ଅବସରରେ ନାଗରାଜ ଦେବତାଙ୍କ ଲାଗି ପୂଜାର୍ଚ୍ଚନା କରାଯିବା ସହ ଭୋଗ ଅର୍ପଣ କରାଯାଇଥାଏ । ଯକ୍ଷ, ଗନ୍ଧର୍ବ ଏବଂ ନାଗଙ୍କୁ ବହୁ ଆଦିମକାଳରୁ ପୂଜା କରାଯାଇଆସୁଛି ।

ଏଥିପାଇଁ ନାଗ ସର୍ପ ରହୁଥିବା ହୁଙ୍କା ନିକଟରେ ମହିଳାମାନେ ଏକତ୍ରିତ ହୋଇ ଭୋଗରାଗ ଅର୍ପଣ ସହ ତମ୍ବାର ନାଗନାଗୁଣୀ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି । ଭୋଗ ସାମଗ୍ରୀ ମଧ୍ୟରେ ନଡିଆ, କଦଳୀ, ଗୁଡ ବିଭିନ୍ନ ପ୍ରକାର ଫଳ ମୂଳ, ଦୁଗ୍ଧ ଅର୍ପଣ କରାଯିବା ସହ ତମ୍ବା ନାଗ ନାଗୁଣୀଙ୍କୁ ଫୁଳମାଳ ଦିଆଯାଇ ସିନ୍ଦୁର ପିନ୍ଧାଯାଇଥାଏ । ନାଗ ପୂଜା କଲେ ସର୍ପ ଦଂଶନ ଯୋଗରୁ ମୁକ୍ତି ମିଳିବା ସହ କରୋନା ଭଳି ରୋଗ ହେବନାହିଁ ବୋଲି ପ୍ରଚଳିତ ବିଶ୍ବାସ ରହିଛି ।

Comments are closed.