ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କାର୍ତ୍ତିକ ମାସର ଶେଷ ସୋମବାର। ଏଥିଲାଗି ସକାଳୁ ସକାଳୁ ଆଠଗଡର ବାବା ଧବଳେଶ୍ଵରଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଭକ୍ତମାନେ ଲମ୍ବା ଧାଡିରେ ଯାଇ ବାବାଙ୍କ ଆଶିଷ ନେଉଛନ୍ତି । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚୁକ ୪ ଦିନରେ ଭିନ୍ନ ଭିନ୍ନ ବେଶରେ ବାବା ଧବଳେଶ୍ଵର ଦର୍ଶନ ଦେବେ ।
ତେବେ ସୂଚନା ମୁତାବକ, ଆଜି ରାତି ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଥିଲା। ପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେହିପରି ଆଜି ଶ୍ରୀମନ୍ଦିରରେ ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର।
ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ ପରିଧାନ କରି ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।