ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର। ଝାଡଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ବି ମତଦାନ ଆରମ୍ଭ ହୋଇଛି। ମହାରାଷ୍ଟ୍ର ନିର୍ବାଚନରେ ରାଜ୍ୟର ୯.୭ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ଏଥିପାଇଁ ୧ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି।
ମହାରାଷ୍ଟ୍ର ନିର୍ବାଚନରେ ୪୧୩୬ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨୦୮୬ ଜଣ ସ୍ବାଧୀନ ପ୍ରାର୍ଥୀ। ନିର୍ବାଚନ ଲଢୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନବିସ, ଆଦିତ୍ୟ ଠାକରେ, ମିଲିନ୍ଦ ଦେଓରା, ନୱାବ ମଲିକ, ଅଜିତ୍ ପୱାର, ରୋହିତ ପାଟିଲ। ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି- ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ। ଝାଡଖଣ୍ଡର ଦ୍ବିତୀୟ ନିର୍ବାଚନରେ ୫୨୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ଝାଡ଼ଖଣ୍ଡରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ୪୧ଟି ବୁଥରେ ମତ ଗ୍ରହଣ କେବଳ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରଖାଯାଇଛି। ଏଥର ମୋଟ ୨୯ ହଜାର ୫୬୨ଟି ପୋଲିଂ ବୁଥ କରାଯାଇଛି। ଗତ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହୋଇଥିଲା। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ଆସନ୍ତା ୨୩ରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବ।