ଭାରତୀୟ ସେନା ଓ ବାୟୁସେନାରେ ଅଦଳବଦଳ

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ପ୍ରତିରକ୍ଷାରେ ୩ଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବାୟୁସେନା ଓ ସେନା ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିବର୍ତ୍ତନରେ ଏୟାରମାର୍ଶଲ ତେଜିନ୍ଦର ସିଂହ ବାୟୁସେନା ପ୍ରଶିକ୍ଷଣ କମାଣ୍ଡ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏୟାରମାର୍ଶଲ ଆଶୁତୋଷ ଦିକ୍ଷୀତଙ୍କୁ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ (ସିଆଇଏସସି) ମୁଖ୍ୟ ନିଯୁକ୍ତ କରାଯାଇଛି। ଏହା ସହିତ ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ନର୍ଦ୍ଦନ ଆର୍ମି କମାଣ୍ଡରେ କମାଣ୍ଡର-ଇନ-ଚିଫ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବେଙ୍ଗାଲୁରସ୍ଥିତ ମୁଖ୍ୟାଳୟରେ ଏୟାରମାର୍ଶଲ ତେଜିନ୍ଦର ସିଂହ ବାୟୁସେନା ପ୍ରଶିକ୍ଷଣ କମାଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ସେ ଯୁଦ୍ଧସ୍ମାରକରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମୁଖପାତ୍ରଙ୍କ କାର୍ଯ୍ୟାଳୟ ଏହି ସୂଚନା ସୋସିଆଲ ମିଡିଆ ଏକ୍ସ ରେ ସେୟାର କରିଛନ୍ତି। ଏୟାରମାର୍ଶଲ ସିଂହ ଜୁନ ୧୯୮୭ରେ ବାୟୁସେନାରେ ଯୋଗ ଦେଇଥିଲେ ଓ ତାଙ୍କର ୪,୫୦୦ ଘଣ୍ଟାରୁ ଅଧିକ ଉଡାଣର ଅଭିଜ୍ଞତା ରହିଛି।

ସେପଟେ ନୂଆଦିଲ୍ଲୀରେ ଏୟାର ମାର୍ଶଲ ଆଶୁତୋଷ ଦିକ୍ଷୀତ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ (ସିଆଇଏସସି) ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଏଲହାବାଦରେ ସେଣ୍ଟ୍ରାଲ ଏୟାରଫୋର୍ସ କମାଣ୍ଡରେ ଏୟାର ଅଫିସର କମାଣ୍ଡିଂ ଇନ-ଚିଫ୍ ପଦବୀରେ ଅବସ୍ଥାପିତ ଥିଲେ। ସେ ୨୦ରୁ ଅଧିକ ପ୍ରକାରର ବିମାନରେ ୩,୩୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ରଖନ୍ତି। ସେ ଅତିବିଶିଷ୍ଟ ସେବା ପଦକ ସହିତ ବାୟୁସେନା ପଦକ ଓ ବିଶିଷ୍ଟ ସେବା ପଦକରେ ସମ୍ବର୍ଦ୍ଧିତ ହୋଇଛନ୍ତି।

ସେହିପରି ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଉଦ୍ଦମପୁରସ୍ଥିତ ନର୍ଦ୍ଦନ ଆର୍ମି କମାଣ୍ଡରେ କମାଣ୍ଡର-ଇନ-ଚିଫ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଲେଫ୍ଟନାଣ୍ଟ ଜେନେରାଲ ଏମ.ଭି.ସୁଚନ୍ଦ୍ର କୁମାରଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ସୁଚନ୍ଦ୍ର କୁମାର ୩୦ ବର୍ଷର ଉଲ୍ଲେଖନୀୟ ସେବା ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।

Leave A Reply

Your email address will not be published.