କଟକ ଜଗତପୁର ଇମାମନଗରରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଆସାମୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ପୋସ୍କୋ ଅଦାଲତ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଫୁଲ ତୋଳିବା ପାଇଁ ପଡିଶା ଘରକୁ ଜରି ଆଣିବା ପାଇଁ ଯାଇଥିବା ସମୟରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଆସାମୀକୁ ୨୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପୋସ୍କୋ ଅଦାଲତ। ଏହା ସହ ଆସାମୀ ଜୟୀରାମ ସ୍ଵାଇଁଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୬ ମାସ ଅଧିକ ଜେଲରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କଟକ ଜଗତପୁର ଥାନା ଇମାମନଗର ଅଞ୍ଚଳରେ ୨୦ ମାର୍ଚ୍ଚ ୨୦୧୯ ରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ତେବେ ଦୁଷ୍କର୍ମ ପରେ କାହାକୁ ନକହିବା ପାଇଁ ଧମକ ଚମକ ଦେଇଥିଲା ଆସାମୀ। ନାବାଳିକାକୁ ପରିସ୍ରା କରିବା ସମୟରେ କଷ୍ଟ ହେବା ଯୋଗୁ ଏ ସମ୍ପର୍କରେ ତାର ଜେଜେ ମା ଜାଣିବା ପରେ ଜଗତପୁର ଥାନାରେ ଏତଲା ଦେଇଥିଲେ। ୧୫ ଜଣ ସାକ୍ଷୀ ଓ ୧୩ ଟି ଦସ୍ତାବିଜ ଆଧାରରେ ମାମଲାର ଶୁଣାଣି କରି କଟକ ସ୍ବତନ୍ତ୍ର ପୋସ୍କୋ ଅଦାଲତ ଏହି ରାୟ ଦେଇଛନ୍ତି। ଏହି ମାମଲାର ପରିଚାଳନା ସ୍ପେଶାଲ ପବ୍ଲିକ ପ୍ରୋସେକ୍ୟୁଟର ରମେଶ ମହାନ୍ତି କରୁଥିଲେ।