ଓଡିଆ ନ୍ୟୁଜ୍(ବ୍ୟୁରୋ): ଅସମ୍ଭାଳ ହେଲାଣି ଖରା ଗରମ। ତା ସାଙ୍ଗକୁ ଅଣାୟତ କରୁଚି ଝାଞ୍ଜି ପବନ ଓ ଗୁଳୁଗୁଳି। ଯାହାକୁ ଆଖିରେ ରଖି ସ୍କୁଲ ପିଲାଙ୍କ ସମୟରେ କରାଯାଇଛି ପରିବର୍ତ୍ତନ। ଆଜିଠାରୁ ଆରମ୍ଭ ହୋଇଛି ଆରମ୍ଭ ହୋଇଛି ସକାଳୁଆ ସ୍କୁଲ୍। ଦୁଇଟି ସିଫ୍ଟ ରେ ଛାତ୍ରଛାତ୍ରୀଙ୍କ କ୍ଳାସ ସମୟ ରହିଛି। ସକାଳ ୬.୩୦ ରୁ ୧୦.୩୦ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଳାସ ହେଉଥିବାବେଳେ ସକାଳ ୭ ରୁ ୧୧.୩୦ ରହିଛି ନବମ ରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ। ପିଲାମାନେ ଆସିବା ବେଳେ ସାଙ୍ଗରେ ପାଣି ବୋତଲ ଓ ଛତା ନେଇ ଆସିବାକୁ ନିର୍ଦେଶ ରହିଛି। ସେହିଭଳି ସ୍କୁଲ ରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ସହ ବାହାରେ ଖେଳିବା ବୁଲିବା କୁ ବାରଣ ହୋଇଛି।
ପାଠପଢା ସାଙ୍ଗକୁ ଖରା ଦାଉରୁ କିଭଳି ରକ୍ଷା ପାଇବେ ଅଂଶୁଘାତ କଣ ଓ ଏହାର ପ୍ରତିକାର କିଭଳି ହୋଇପାରିବ ସେ ନେଇ ଶିକ୍ଷକ ମାନେ ଅବଗତ କରାଉଛନ୍ତି ଛାତ୍ରଛାତ୍ରୀଙ୍କୁ। ସେପଟେ ଦୁଇବର୍ଷ ପରେ ସ୍କୁଲ ରେ ପୁଣି ଆରମ୍ଭ ହୋଇଛି ମଧ୍ୟାହ୍ନ ଭୋଜନ ପ୍ରକ୍ରିୟା। ପିଲାମାନେ ପୁଣି ସ୍କୁଲ ରେ ବସି ପୂର୍ବ ଭଳି ରନ୍ଧା ଖାଦ୍ୟ ଖାଇଛନ୍ତି। କୋରୋନା ପରେ ସ୍ଥିତି ସ୍ୱାଭାବିକ ହେବା ନେଇ ଉତ୍ସାହିତ ଛାତ୍ରଛାତ୍ରୀ।ଏହା ସହ ଦିର୍ଘଦିନ ପରେ ମଧ୍ୟାହ୍ନ ଭୋଜନ ମିଳିଥିବାରୁ ପିଲାଏ ବି ଖୁସ୍। ସାଙ୍ଗ ମାନଙ୍କ ସହ ଲାଇନ୍ ରେ ଆସି ଖାଦ୍ୟ ନେଇ ଏକାଠି ଖାଉଥିବାରୁ ନିଜ ନିଜ ର ଖୁସି ମଧ୍ଯ ଜାହିର କରିଛନ୍ତି। ପିଲାମାନେ କିଭଳି ସୁରୁଖୁରରେ ଦୁଷ୍ଟାମୀ ନକରି ଖାଇବେ ତାର ତଦାରଖ ମଧ୍ଯ କରୁଛନ୍ତି ସ୍କୁଲ ରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ।
ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଖରା ଗରମ ରୁ ଲୋକଙ୍କୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ରାଜ୍ୟ ର ଆଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକା ରହୁଥିବା ବେଳେ ଉପକୂଳ ରେ ସ୍ବାଭାବିକ ବା ତା ଠାରୁ ସାମାନ୍ୟ ଅଧିକ ରହିଛି। ବଙ୍ଗୋପସାଗର ଉପକୂଳ କୁ ଜଳୀୟବାଷ୍ପ ଆସୁଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ଦେଶର ଦ୍ଵିତୀୟ ସର୍ବାଧିକ ତାପମାତ୍ରା ସହର ରେ ରେକର୍ଡ ହୋଇଛି। ଆଭ୍ୟନ୍ତରିଣ ଓଡ଼ିଶାରେ ଖରା କୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ କୁହାଯାଇଛି।
ଆବଶ୍ୟକ ଥିଲେ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ରହିଛି। ସେହିଭଳି ବୃଦ୍ଧ, ଛୋଟ ଛୁଆ ଓ ରୋଗୀ ମାନେ ଘରେ ରହିବାକୁ କୁହାଯାଇଛି। ନିହାତି ଆବଶ୍ଯକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମକାଳୀନ ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ। ଖରା ଛୁଟି ରେ କୋର୍ସ ଶେଷ କରିବା ଓ ପରୀକ୍ଷା କରିବା ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ।