ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ: ବଲାଙ୍ଗିର ପାଇଁ ବାହାରିଲା ଲଗ୍ନ।ଅଗଷ୍ଟ ୨୮ ଗୁରୁବାର ସକାଳ ୯ଟା ୪୭ରୁ ୧୧ଟା ୧୧ ଯାଏଁ ନବାନ୍ନ ଲାଗି ହେବ।ଇଷ୍ଟଦେବୀ ମା ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ।ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଚଳିତ ବର୍ଷର ନୂଆଖାଇ ପର୍ବ ପାଳନ କରାଯିବ।
ବଲାଙ୍ଗୀର ଜିଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ସିନ୍ଧାନ୍ତକ୍ରମେ ପୂର୍ବତନ ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ପାଟେଣେଶ୍ୱରୀ ଓ ଦେବୀ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ, ଚଳିତବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ବିଶୁଦ୍ଧ ତୁଳା ଲଗ୍ନରେ ମାହେନ୍ଦ୍ର ବେଳା ଦିବା ୯ ଘଣ୍ଟା ୪୭ ମିନିଟ୍ରୁ ୧୧ ଘଣ୍ଟା ୧୧ ମିନିଟ ମଧ୍ୟରେ ବଲାଙ୍ଗୀର ଜିଲାରେ ନବାନ୍ନ ବିଧିମତେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି। ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍ଠାରେ ରାଜପୁରୋହିତ ସନ୍ତୋଷ ଦାଶ ରବିବାର ନୂଆଖାଇ ଲଗ୍ନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।