ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଏହି ନୀତି କରାଯିବ। ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ଅର୍ଥାତ୍ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖସାପଡ଼ା ଲାଗି ହେଉଛି ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି। ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ। ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି।
ଶନିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୁଲା ଭଙ୍ଗାରୁଜା ହୋଇଛି । ରବିବାର ସକାଳେ ଏହା ଜଣାପଡିଥିଲା । ତେବେ କିଏ ଏବଂ କେଉଁଥିପାଇଁ ଚୁଲା ଭଙ୍ଗାରୁଜା କରିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ମନ୍ଦିରକୁ ଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ରୋଷଘର ଚୁଲା ଭଙ୍ଗାରୁଜା ହୋଇଛି ତାହା ଅନୁଧ୍ୟାନ କରୁଛନ୍ତି । ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ରୋଷଶାଳାରେ ରେକର୍ଡଭୁକ୍ତ ୨୪୦ଟି ଚୁଲା ରହିଛି । ସେଥିମଧ୍ୟରୁ ୪୦ଟିକୁ କେହି ଭାଙ୍ଗି ଦେଇଛନ୍ତି, ଯେଉଁଥିରେ ୨ଟି କୋଠ ଭୋଗ ଚୁଲି ରହିଛି । ୨ ଦିନ ମଧ୍ୟରେ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।