ଓଡ଼ିଆ ନ୍ୟୁଜ୍: ଭାରତ ଉପରେ ଆମେରିକାର ୨୫ % ଟାରିଫ । ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଖସିଲା ସେୟାର ବଜାର । ୫୫୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ସେନସେକ୍ସ । ନିଫ୍ଟିରେ ୧୮୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ବଜାର । ଟାରିଫ ପାଇଁ ଭାରତର ରପ୍ତାନୀ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ । ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ ଦେଖିବାକୁ ମିଳିଛି । ଭାରତ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମେରିକାକୁ ଯାଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ୨୫% ଶୁଳ୍କ ଲାଗୁ କରିଛନ୍ତି, ଯାହା ଅଗଷ୍ଟ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ଏହା ଅର୍ଥନୈତିକ କ୍ଷତିର ଆଶଙ୍କା ବଢ଼ାଇଛି। ବର୍ତ୍ତମାନ ରପ୍ତାନୀ ଶୁଳ୍କ ହାରାହାରି ୨.୪ ପ୍ରତିଶତ ଥିବା ବେଳେ ଏକାଥରକେ ୧୦ ଗୁଣାରୁ ଅଧିକ ଶୁଳ୍କ ବଢାଇଛନ୍ତି।
ଭାରତର ଆମେରିକାକୁ ୮୭ ବିଲିୟନ ଡଲାରର ରପ୍ତାନୀ କରେ, ଯାହା ବର୍ତ୍ତମାନ ବିପଦରେ।ଟ୍ରମ୍ପ ଏହି ଶୁଳ୍କବୃଦ୍ଧିକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଆମେରିକାର ପ୍ରଭାବ ପ୍ରତିପାଦନ ବୋଲି ଦର୍ଶାଇଥିବା ବେଳେ, ଏହା ଭାରତର ରୁଷିଆ ସହିତ ବଢୁଥିବା ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ସହିତ ଜଡ଼ିତ ବୋଲି ଜଣାପଡ଼ିଛି। ରୁଷ ସହ ବାଣିଜ୍ୟିକ କାରବାର ପାଇଁ ଭାରତ ଉପରେ ଆମେରିକା ଅତିରିକ୍ତ ଜରିମାନା ବୋଝ ଲଦାଯିବ ବୋଲି ମଧ୍ୟ ଧମକ ଦେଇଛନ୍ତି।