୨୨ରେ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଅଫିସ୍‌ ଘେରାଉ କରିବ ସିପିଆଇ, ପ୍ରମୁଖ କାରଣ ରହିଛି ଏସବୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଦ୍ୟୁତ ପାଇଁ ପ୍ରତିବାଦ। ବିଦ୍ୟୁତ ଉତ୍ପାଦନ ରାଜ୍ୟରେ ବିଦ୍ୟୁତ ସଙ୍କଟ ଓ ଦର ନିୟନ୍ତ୍ରଣ ରହୁନଥିବାରୁ ଏହାକୁ ପ୍ରତିବାଦ କରିଛି ସିପିଆଇ। ଏହାର ପ୍ରତିବାଦ ସ୍ବରୂପ ଆସନ୍ତା ୨୨ ତାରିଖରେ ସିପିଆଇ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟୁତ୍‌ ଅଫିସ୍‌ ଘେରାଉ କରାଯିବ। ଏ ନେଇ ରବିବାର ପାର୍ଟିର ରାଜ୍ୟ ମୁଖ୍ୟାଳୟ ଭଗବତୀ ଭବନଠାରେ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ବିଦ୍ୟୁତ୍‌ ବିଭ୍ରାଟର ପ୍ରତିକାର ଓ ସବୁ ପରିବାରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି କରାଯାଇଛି। ରମଣୀ ରଞ୍ଜନ କହିଛନ୍ତି, ରାଜ୍ୟର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀର ମେରୀ ରାୟ ଶାସନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ଗ୍ରାହକଙ୍କ ପାଖକୁ ମନଇଚ୍ଛା ୫ଗୁଣ ୧୦ଗୁଣ ଅଧିକ ବିଲ୍‌ ଆସୁଛି। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ଗୋଟିଏ ଗୋଟିଏ ଗଁାରେ ସପ୍ତାହ ସପ୍ତାହ ଧରି ଲାଇନ କାଟି ଦିଆଯାଉଛି। ଅଘୋଷିତ ବିଦ୍ୟୁତ୍‌ କାଟ ସାଙ୍ଗକୁ ଲୋ ଭୋଲ୍‌ଟେଜ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଏସବୁର ପ୍ରତିକାର ସହିତ ବିଦ୍ୟୁତ୍‌ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ରାଜ୍ୟ ସରକାର ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ସିପିଆଇ ଦାବି କରୁଥିବା ସେ କହିଛନ୍ତି। ଅପରପକ୍ଷେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ସିପିଆଇର କେନ୍ଦ୍ରୀୟ କମିଟି ପକ୍ଷରୁ ଏପ୍ରିଲ ୪ରୁ ୧୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ପମ୍ପ ଓ କେନ୍ଦ୍ର ସରକାରୀ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ହେବ ବୋଲି ସୂଚନା ଦିଆଯାଇଛି।

ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନର ସମୀକ୍ଷା ରିପୋର୍ଟ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଜାତୀୟ ପରିଷଦ ରିପୋର୍ଟ, ଅଭୟ ସାହୁ ଆନ୍ଦୋଳନର କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

Leave A Reply

Your email address will not be published.