ଓଡିଆ ନ୍ୟୁଜ୍(ବ୍ୟୁରୋ): ରସୁଲଗଡ଼ ପଳାଶୁଣୀ ଛକରେ ଭୟଙ୍କର ଦୁର୍ଘଟଣା । ୪ ଟି ଗାଡିକୁ ଧକା ଦେଲା ହାଇବା ଟ୍ରକ । ଘଟଣା ସ୍ଥଳରେ କାର ଚାଳକଙ୍କ ମୃତ୍ୟୁ। ୩ଟି କାର ଓ ଗୋଟିଏ ବାଇକକୁ ଚାପିଦେଲା ହାଇବା ଟ୍ରକ । କିଛି ସମୟ ପାଇଁ ରାସ୍ତା ଜାମ୍ ପରିସ୍ଥିତି ଉପୁଜିଥିଲା। ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ରାସ୍ତା ପରିସ୍କାର କରିବା ସହ ହାଇବା ଗାଡିକୁ ଜବତ କରିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ବେଳେ ଏକ କାର ରସୁଲଗଡରୁ କଟକ ଅଭିମୁଖେ ଯାଉଥିଲା । ପଳାଶୁଣୀ ଓଭରବ୍ରିଜରୁ କାରଟି ଗଡୁଥିବା ବେଳେ ବସଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତି ହଠାତ ରାସ୍ତା ପାର ହୋଇଥିଲା । ଦୁର୍ଘଟଣା ଘଟିବା ଆଂଶଙ୍କା କରି କାର ଚାଳକ ଜଣକ ହଠାତ ବ୍ରେକ ମାରିଥିଲେ । ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ କାରକୁ ଜୋରରେ ଧକ୍କା ଦେଇଥିଲା । ଏପରିକି କାରକୁ ଠେଲି ନେଇଥିଲା । ଫଳରେ ଆଗରେ ଠିଆ ହୋଇଥିବା ଆଉ ଏକ ଟ୍ରକ ପଛରେ କାରଟି ପିଟି ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ କାରଟି ଚାପି ହୋଇ ଚୁନା ହୋଇଯାଇଥିଲା । ସେଥିରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଦୁଇ ଟ୍ରକ ମଝିରେ କାରଟି ଏମିତି ଚାପି ହୋଇଯାଇଛି ଯେ, ଭିତରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସମ୍ଭବପର ହେଉନାହିଁ । ଗ୍ୟାସ କଟକର ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଛି । ଓଭରବ୍ରିଜରୁ ଗଡୁଥିବା ଗାଡି ଗୁଡିକ ଦ୍ରୁତ ଗତିରେ ଆସୁଥିବାରୁ ବସ ଷ୍ଟାଣ୍ଡ ପାଖରେ ପ୍ରାୟ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି । ତେଣୁ ସେଠାରେ ରମ୍ବଲ୍ସ ନିର୍ମାଣ ଓ ଟ୍ରାଫିକ ପୋଲିସ ମୃତୟନ ନେଇ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ଏହାକୁ ଦୃଷ୍ଟି ଦେଉନାହିଁ । ଏହାର ସ୍ଥାୟୀ ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଥିଲା । ରାସ୍ତା ଜାମ ଯୋଗୁଁ ସହରରେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ଜାମକୁ ହଟାଇଥିଲା