ଓଡ଼ିଆ ନ୍ୟୁଜ୍: କଠୁଆରେ ବାଦଲ ଫଟା ବର୍ଷାର ତାଣ୍ଡବ । ଜମ୍ମୁ-ପଠାନକୋଟ ଏନ୍ଏଚ୍ କ୍ଷତିଗ୍ରସ୍ତ, ୪ ଜଣଙ୍କ ମୃତ୍ୟୁ । ଅନେକ ଘର ପୋତି ହୋଇଯାଇଥିବା ଅନୁମାନ । ଜମ୍ମୁ-କଶ୍ମୀର କିସ୍ତୱାର ପରେ ଏବେ କଠୁଆ ଜିଲ୍ଲାରେ କାଳ ହୋଇ ବର୍ଷିଛି ବାଦଲ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଏବଂ କଶ୍ମୀରର କଠୁଆ ଜିଲ୍ଲାର ଏକ ଦୁର୍ଗମ ଗାଁରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ରବିବାର ଦିନ ଅଧିକାରୀମାନେ କହିଛନ୍ତି ।
କଠୁଆର ସୋଫେନରେ ଥିବା ଗୁଜ୍ଜର କଲୋନୀ ଉପରେ ମାଟି ଅତଡ଼ା ଖସି ପଡ଼ିଛି । ଏଥିରେ ଚାରୋଟି ଘର ପୋତି ହୋଇଯାଇଛି । ରାସ୍ତାର ୮୦ ପ୍ରତିଶତ ଅଂଶ ବନ୍ୟାଜଳରେ ଧୋଇ ହୋଇଯାଇଛି । ଏହି ଘଟଣା ରାତି ପ୍ରାୟ ୨ ରୁ ୩ ଟା ସମୟରେ ଘଟିଛି । ବାଦଲ ଫଟା ବର୍ଷା ଯୋଗୁ କାଠୁଆରେ ରେକର୍ଡ ବର୍ଷା ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।