ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍ ଷ୍ଟାଫ୍। ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।ମେଡିକାଲ୍ କଲେଜର ପ୍ରଫେସର ପଦବୀ ମଧ୍ୟ ପୂରଣ ପାଇଁ ନିର୍ଦ୍ଦେଶ। ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧିକ ଡାକ୍ତର ନିଯୁକ୍ତି ଉପରେ ଗୁରୁତ୍ବାରୋପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବି ପୂରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ବୈଠକର ଆଲୋଚନାରୁ ଜଣା ଯାଇଛିଯେ, ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ନିଯୁକ୍ତି ପାଇବେ ଏବଂ ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ। ରାଜ୍ୟର ସମସ୍ତ ସ୍ଥାନରେ ଉପଯୁକ୍ତ ସଂଖ୍ୟାରେ ମେଡିକାଲ ଅଫିସର ନିଯୁକ୍ତି ନିମନ୍ତେ ସୁବ୍ୟବସ୍ଥାକରଣ ପ୍ରକ୍ରିୟା କରାଯିବା ସହିତ ଆଦିବାସୀ ଅଧୁଷିତ ଅଂଚଳ ମାନଙ୍କରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରିବା ପାଇଁ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।