ଓଡ଼ିଆ ନ୍ୟୁଜ୍: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନୃଶଂସ ସ୍ୱାମୀ। ବେତନଟୀ ଥାନା ସଂସା ଗାଁରେ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ। ପାରିବାରିକ କଳହରୁ ହତ୍ୟା ସୂଚନା, ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ।ପତ୍ନୀଙ୍କୁ ମଥାରେ ପିନ୍ଧାଇଥିବା ସନ୍ଦୂରର ସ୍ମୁତି ଭୁଲିଗଲା ସ୍ବାମୀ। ଜୀବନ ସାଥୀ ଭାବେ ରହିବାକୁ ୨୫ ବର୍ଷ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିଲା ନାହିଁ। ହିତାହିତ ଜ୍ଞାନ ଭୁଲିବାର କାରଣ ହେଉଛି ମଦ। ନୃଶଂସ ସ୍ବାମୀ ଆଜି ଅପରାହ୍ଣରେ ନିଜର ପତ୍ନୀଙ୍କୁ ଲୁହାଛଡ଼ରେ ନିସ୍ତୁକ ପିଟିପିଟ ଜୀବନ ନେଇଛି। ମୟୂରଭଞ୍ଜଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ଏହି ଅଶୋଭନୀୟ ଘଟଣା ଘଟିଛି। ମୃତା ମହିଳା ଜଣକ ହେଉଛନ୍ତି ଗଣେଶ ମହାନ୍ତଙ୍କ ସ୍ତ୍ରୀ ସତ୍ୟବତୀ ମହାନ୍ତ।
ମୃତା ମହିଳାଙ୍କ ବାପା ଅରୁଣ ମହାନ୍ତଙ୍କ ଅଭିଯୋଗ ମୁତାବକ ଜ୍ୱାଇଁ ଗଣେଶର ଘର ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଉପକଣ୍ଠ ବିଜିପୁର ଗ୍ରାମରେ। ସତ୍ୟବତୀଙ୍କୁ ବିବାହକରି ଗଣେଶ ଦୀର୍ଘ ୨୫ବର୍ଷ ହେବ ଘରଜ୍ୱାଇଁ ଭାବେ ସଂସା ଗାଁରେ ରହିଆସୁଥିଲା। ଆଜି ଅପରାହ୍ନ ଦେଢ଼ଟା ପାଖାପାଖିରେ ସତ୍ୟବତୀ ଜଙ୍ଗଲରୁ ପତ୍ର ଏବଂ ଶୁଖିଲା ଜାଳେଣିକାଠ ସଂଗ୍ରହକରି ଘରକୁ ଫେରିଥିଲେ। ଦୀର୍ଘ ଘଣ୍ଟା ପରେ ଜଙ୍ଗଲରୁ ଫେରି ଥକ୍କାରେ ସତ୍ୟବତୀ ପାଣି ପିଇ ଘର ବାହାରେ ଥିବା ଖଟରେ ଶୋଇପଡ଼ି ବିଶ୍ରାମ ନେଉଥିଲେ। ସେହି ସମୟରେ ମଦ୍ୟପ ସ୍ୱାମୀ ପ୍ରଚୁର ମଦ୍ୟପାନ କରି ନିଶାଗ୍ରସ୍ତ ଥିବାବେଳେ ହାତରେ ଏକ ଲୁହାଛଡ଼ ଧରି ଆସି ଶୋଇଥିବା ସତ୍ୟବତୀଙ୍କ ମୁଣ୍ଡକୁ ବାରମ୍ବାର ଛେଚିଚାଲିଥିଲା। ବାରମ୍ବାର ଶକ୍ତ ପ୍ରହାରରେ ସେଠାରେ ପ୍ରଚୁର ରକ୍ତଶ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ସତ୍ୟବତୀଙ୍କର ମୃତ୍ୟୁ ଘଟିଥିଲା।