ଓଡ଼ିଆ ନ୍ୟୁଜ୍: ଛାତ୍ରୀଙ୍କୁ ଡଷ୍ଟର ଫିଙ୍ଗି ମୁଣ୍ଡ ଫଟାଇଲେ ପିଇଟି ଶିକ୍ଷକ । ଝାରସୁଗୁଡ଼ା ଲଇକେରା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଅଘଟଣ । ଆହତ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି । ଲଇକେରା ଥାନାରେ ଶିକ୍ଷକଙ୍କ ନାଁରେ ପରିବାରର ଅଭିଯୋଗ ।ଏନେଇ ଛାତ୍ରୀଙ୍କ ବାପା ମହେଶ ଅଗ୍ରୱାଲଙ୍କ ଏତଲା ଆଧାରରେ ଲଇକେରା ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିବା ଅଭିଯୁକ୍ତ ଶିକ୍ଷକ ପୁଷ୍କର ବରୱାକୁ ଅଟକ ରଖି ପଚରାଉଚରା କରୁଛି। ସେପଟେ, ଛାତ୍ରୀଙ୍କୁ ପ୍ରଥମେ ବାଗଡିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ବେଳେ ସ୍କୁଲରେ କ୍ଲାସ୍ ଚାଲୁଥିଲା। ପିରିୟଡ୍ ଚେଞ୍ଜ ସମୟରେ ଦ୍ବିତୀୟ ଶ୍ରେଣୀର ଛାତ୍ରଛାତ୍ରୀ ପାଟିତୁଣ୍ଡ କରିଥିଲେ। ସେହି ସମୟରେ ପିଇଟି ଶିକ୍ଷକ ଶ୍ରୀ ବରୱା କ୍ଲାସ୍ ଭିତରକୁ ପ୍ରବେଶ କରିଥିଲେ। ଆହତ ହୋଇଥିବା ଛାତ୍ରୀ ଅନିକା ଅଗ୍ରୱାଲ(୭) ଓ ଅନ୍ୟମାନେ ପାଟିତୁଣ୍ଡ କରୁଥିବା ଦେଖି ଶିକ୍ଷକ ଶ୍ରୀ ବର୍ୱା ଉତ୍କ୍ଷିପ୍ତ ହୋଇଉଠିଥିଲେ। ଏହାପରେ କ୍ଲାସରୁମ୍ ଟେବଲରେ ଥିବା ଏକ ଡଷ୍ଟରକୁ ଶ୍ରୀ ବର୍ୱା ଉଠାଇ ଅନିକାଙ୍କୁ ଲକ୍ଷ୍ୟ କରି ଫିଙ୍ଗି ଦେଇଥିଲେ। ଅନିକାଙ୍କ ମୁଣ୍ଡରେ ଡଷ୍ଟର ବାଜିବା କ୍ଷଣି ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା।