ଓଡ଼ିଆ ନ୍ୟୁଜ୍: କରଞ୍ଜିଆ ବନଖଣ୍ଡ ଅଧିନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବାରୁ ବାଘକୁ ନେଇ ଠାକୁରମୁଣ୍ଡା ଅଞ୍ଚଳରେ ଭୟ ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେହି ବାଘକୁ ନ ଦେଖିଥିଲେ ମଧ୍ୟ ବାଘର ପାଦ ଚିହ୍ନ ହିଁ ଅଞ୍ଚଳରେ ତାର ଗତିବିଧି ସଂକ୍ରାନ୍ତରେ ସ୍ପଷ୍ଟ ପ୍ରମାଣ ଦେଇଛି । ଯାହାକୁ ନେଇ ବିଶେଷ କରି ହାତୀ ଘୋଡା ଓ ସାଲେଇବେଡା ପଞ୍ଚାୟତର ଆଖପାଖ ଗ୍ରାମଗୁଡିକରେ କୋକୁଆ ଭୟ ଅଧିକ ଦେଖାଯାଇଛି।
ମହାବଳ ବାଘ ବୁଲୁଥିବା ଖବର ପାଇ ବନକର୍ମଚାରୀମାନେ ଠାକୁରମୁଣ୍ଡା ରେଞ୍ଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ବନ ବିଭାଗର କହିବା ଅନୁଯାୟୀ ଗତ ୨୪ତାରିଖରେ ଶେଷ ଥର ପାଇଁ ତାର ଗତିବିଧି ବିଭାଗୀୟ କାମେରାରେ କଏଦ ହୋଇଥିଲା । ଏବେ ମହାବଳର ସବିଶେଷ ତଥ୍ୟ ମିଳିପାରିନାହିଁ । ଆଜିଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ ।