ରାତି ଅଧରେ ବଦଳି ଗଲା ସତ୍ତା, ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ୍

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ରାତି ଅଧରେ କିଛି ବି ହୋଇପାରେ । ଭୁଶୁଡି ଗଲା ପାକିସ୍ତାନରେ ଇମ୍ରାନ ସରକାର।  ଶେଷରେ ପ୍ରଧାନମନ୍ତ୍ରୀ ପଦବୀରୁ ଇମ୍ରାନ ଖାନ ବିଦା ହୋଇଛନ୍ତି। ଦେଶ, ଜାତି, ଆଇନ ଏବଂ ଗଣତନ୍ତ୍ରର ରକ୍ଷା ପାଇଁ ବିଗତ କିଛି ଦିନ ହେଲା ଦେଶବାସୀଙ୍କ ଆଗରେ ଆବେଗର କଥା ରଖୁଥିବା ଇମ୍ରାନ ବିରୋଧୀଙ୍କ ଶେଷ ବଲରେ କ୍ଲନ୍‌ ଆଉଟ ହୋଇଛନ୍ତି। ଏପରିକି ସରକାର ବଞ୍ଚାଇବା ପାଇଁ ତାଙ୍କର ବହୁ ଚର୍ଚ୍ଚିତ ‘ସିକ୍ରେଟ ଲେଟର’ କୌଶଳ ମଧ୍ୟ କାର୍ଯ୍ୟ କରିନଥିଲା। ଶନିବାର ଭାରତୀୟ ସମୟ ରାତି ପ୍ରାୟ ୧ଟା ବେଳେ ପାକିସ୍ତାନ ସଂସଦରେ ଦିନ ତମାମ ଚାଲିଥିବା ପଲିଟିକାଲ ହାଇଡ୍ରାମାର ଅନ୍ତ ହେବା ସହିତ ଅନାସ୍ଥା ଭୋଟରେ ଇମ୍ରାନଙ୍କ ସରକାରର ପତନ ହୋଇଛି।

imran khan

ଭାରତୀୟ ସମୟ ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ଭୋଟିଂ କରାଯାଇଥିଲା ବେଳେ ଏହାପୂର୍ବରୁ ସରକାରୀ ଦଳର ସମସ୍ତ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ। ଏହାର କିଛି ସମୟ ପୂର୍ବରୁ ବାଚସ୍ପତିଏବଂ ଉପ ବାଚସ୍ପତି ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ କେବଳ ବିରୋଧୀ ମେଣ୍ଟ ସଦସ୍ୟ ଉପସ୍ଥିତିରେ ସମ୍ମତିକ୍ରମେ ପିଏନଏଲ(ଏନ) ସାଂସଦ ଆୟାଜ ସିଦ୍ଦିକିଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା। ସିଦ୍ଦିକିଙ୍କ ନିର୍ଦ୍ଦେଶକ୍ରମେ ଗୃହରେ ଅନାସ୍ଥା ଭୋଟ କରାଯାଇଥÒଲା ଏବଂ ଫଳାଫଳ ଘୋଷଣା କରାଯାଇଥିଲା। ଗୃହରେ ଶାସକଦଳର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିଥିଲା ବେଳେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ଟି ଭୋଟ ମିଳିଥିଲା। ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ହେଉଛି ୩୪୨। ସରକାର ଗଢିବା ପାଇଁ କୌଣସି ଦଳ ପାଇଁ ୧୭୨ ସଦସ୍ୟଙ୍କ ଆବଶ୍ୟକତା ରହିଥିବା ବେଳେ ବିରୋଧୀ ମେଣ୍ଟ ସର୍ବାଧିକ ୧୭୬ ସଦସ୍ୟଙ୍କ ସମର୍ଥନ ପାଇଥିବାରୁ ଶାସକ ଦଳର ପରାଜୟ ଘଟିଥିଲା। ଶାସକ ଦଳର ପରାଜୟ ପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ଶେହବାଜ ଶରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ନିଶ୍ଚିତ ହୋଇଯାଇଛି।

Leave A Reply

Your email address will not be published.