ବିଶ୍ବସ୍ତରୀୟ ହେବ ମା’ ତାରିଣୀଙ୍କ ପୀଠ: ମୋହନ ମାଝୀ
ଘଟଗାଁ ତାରିଣୀ ପୀଠ ପାଇଁ ୩୧୨ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ
ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଧାର୍ମିକ ଏବଂ ପର୍ଯ୍ୟଟନ କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ସ୍ଥଳୀ ‘ମା’ ତାରିଣୀଙ୍କ ପୀଠକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଠାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଯେପରିକି ଆବଶ୍ୟକ ସୁବିଧା ମିଳିବ, ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଯୋଜନା ରଖିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିଯୋଗରେ ଯାତ୍ରୀ ସୁବିଧା କେନ୍ଦ୍ର, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଏଥି ସହିତ ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ତାରିଣୀ ପୀଠ ଗସ୍ତ କରିଥିଲେ। ଏହି ଅବସରରେ ସେ ମା’ ତାରିଣୀଙ୍କୁ ପୂଜାର୍ଚ୍ଚନା ମଧ୍ୟ କରିଥିଲେ।