ଓଡ଼ିଆ ନ୍ୟୁଜ୍: ବାଇପାସ୍ ଛକରେ ଥିବା ଔଷଧ ଦୋକାନରୁ ବାହାରିଲା ମଦ ବୋତଲ।ଟାଉନ୍ ପୋଲିସ ସହାୟତାରେ ଯାଞ୍ଚ ବେଳେ ଧରିଲେ ଡ୍ରଗ୍ସ ଇନ୍ସପେକ୍ଟର। ପୂର୍ବରୁ ଔଷଧ ଦୋକାନୀଙ୍କ ବିରୋଧରେ ମଦ ରଖୁଥିବା ଅଭିଯୋଗ ଥିଲା। ଭଦ୍ରକ ସହରର ବାଇପାସ୍ ଛକ ନିକଟସ୍ଥ ଏକ ଔଷଧ ଦୋକାନରୁ ମଦ ଜବତ ହୋଇଛି। ଭଗବାନ ଗଣେଶଙ୍କ ନାମରେ ନାମିତ ଔଷଧ ଦୋକାନରୁ ମଦ ବାହାରୁଛି, ଯାହା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି। ସଦର ଥାନା ଅଧୀନ ବାଇପାସ ନିକଟସ୍ଥ ଶ୍ରୀ ଗଣେଶ ଔଷଧ ଦୋକାନରେ ମଦ ବିକ୍ରି ହେଉଥିବା ନେଇ ପ୍ରଶାସନକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଗୁଇନ୍ଦା ସୂଚନା ଆଧାରରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିଲା। ଔଷଧ ଦୋକାନ ଲାଇସେନ୍ସ ଯାଞ୍ଚ ପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସର ମିଳିତ ଯାଞ୍ଚ କରାଯାଇଥିଲା। ଚଢ଼ଉ ସମୟରେ ଔଷଧ ଦୋକାନରୁ ପୁଳାପୁଳା ମଦ ବାହାରିଥିଲା। ବିଭିନ୍ନ ବ୍ରାଣ୍ଡର ମଦ ବାହାରିଥିଲା।
ଭଦ୍ରକ ଟାଉନ ପୁଲିସ ମଦ ଜବତ କରିଛି। ଏହି ଔଷଧ ଦୋକାନରୁ ମାଲିକଙ୍କୁ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି। କେବେ ଠାରୁ ଏହି ଦୋକାନୀ ମଦ ବିକ୍ରି କରିବା ଆରମ୍ଭ କରିଥିଲେ। କେଉଁଠୁ ଚୋରାରେ ମଦ ଆଣୁଥିଲେ। ଏସବୁ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ଭଦ୍ରକର ଏହି ଘଟଣା ଚର୍ଚ୍ଚାକୁ ଆସିଥିବା ବେକେ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯିବ ବୋଲି ଜଣାପଡିଛି। ବିଶେଷ କରି ଗ୍ରାମାଞ୍ଚଳରେ ଥିବା ଔଷଧ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରାଯିବାର ଆବଶ୍ୟକତା ରହିଛି। ଜିଲ୍ଲାରେ ଅନେକ ଔଷଧ ଦୋକାନ ବେଆଇନ ଭାବରେ ବିନା ଲାଇସେନ୍ସରେ ଚାଲିଛି। ଏହାର ଯାଞ୍ଚ ହେଲେ ଅନେକ ବେଆଇନ ଔଷଧ ଦୋକାନ ଗୁଡ଼ିକର କଳା କାରନାମା ଧରାପଡ଼ିବ ବୋଲି ଲୋକେ ଦାବି କରିଆସୁଛନ୍ତି।