ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା। ମଧ୍ୟରାତ୍ର ୧୨ଟା ଯାଏଁ ବଳବତ୍ତର ରହିବ ଇଣ୍ଟରନେଟ୍ କଟକଣା।ଏମ୍ଭି ୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି। ଏହି କଟକଣା ଦ୍ବାରା ହ୍ୱାଟସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଅଚଳ ରହିବ। ଜିଲ୍ଲାର ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ଏହି କଟକଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖାଯାଇଛି।
ଏହା ଦ୍ବାରା କ୍ରମାଗତ ଚତୁର୍ଥ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ସମୟସୀମା ବୃଦ୍ଧି। ଡିସେମ୍ବର ୮ ତାରିଖରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ଅବରୋଧ କରାଯାଇଥିଲା, ପରେ ଡିସେମ୍ବର ୯ ତାରିଖରେ ୧୮ ଘଣ୍ଟା ବୃଦ୍ଧି କରାଯାଇଥିଲା। ପୁଣିଥରେ, ଡିସେମ୍ବର ୧୦ ତାରିଖରେ ଏହାକୁ ଆଉ ୨୪ ଘଣ୍ଟା ପାଇଁ ବୃଦ୍ଧି କରାଯାଇଥିଲା। ଗୁରୁବାର ଶେଷ ହେବାକୁ ଥିବା ଏହି କଟକଣାକୁ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି।ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଦୁଇଟି ଗାଁ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଏହି କଟକଣା ଲାଗୁ କରାଯାଇଥିଲା।