ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କର ୮୦ତମ ଜନ୍ମୋତ୍ସବ ପାଳିତ

0

ଓଡ଼ିଆ ନ୍ୟୁଜ୍: ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କର ୮୦ତମ ଜନ୍ମୋତ୍ସବ ପାଳିତ ଏବଂ ସ୍ଵ- ରଚିତ ଶ୍ରୀଗୁରୁ ଭାଗବତର ୨୫ତମ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ ସହିତ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ପାଳିତ ହୋଇଛି। ଏହି ଶୁଭ ଜନ୍ମୋତ୍ସବରେ ଦେଶ ତଥା ବିଦେଶରୁ ବହୁ ସଂଖ୍ୟକ ଭକ୍ତ, ଶ୍ରଦ୍ଧାଳୁ, ବିଦ୍ୱାନ ଗୁଣିଜ୍ଞାନୀ ବ୍ୟକ୍ତି ବିଶେଷ, ରାଜନେତା ଏବଂ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ଗୁରୁଜୀଙ୍କ ରଚିତ ପୁସ୍ତକ ଶିରିଡି ସାଇ ବାବା ଏକ ପ୍ରେରଣାଦାୟକ ଜୀବନ ଉନ୍ମୋଚିତ ହୋଇଥିଲା। ଯାହାକି ଇଂରାଜୀ ଭାଷାରେ ପ୍ରଥମେ ପ୍ରକାଶିତ ହୋଇ ବେଷ୍ଟ ସେଲର ପୁସ୍ତକ ଭାବରେ ମାନ୍ୟତା ଲାଭ କରିଥିଲା। ଏହି ପୁସ୍ତକ ଟି ପୂର୍ବରୁ ହିନ୍ଦୀ ଓ ମରାଠୀ ଭାଷାରେ ମଧ୍ୟ ପ୍ରକାଶିତ ହୋଇଛି। ଆଜି ଓଡ଼ିଆ ସଂସ୍କରଣ ଲୋକାର୍ପିତ ହୋଇଛି। ଏହା ବ୍ୟତୀତ ଗୁରୁଜୀଙ୍କ ରଚିତ ପ୍ରସିଦ୍ଧ କାବ୍ୟଗ୍ରନ୍ଥ ଶ୍ରୀଗୁରୁ ଭାଗବତ ଯାହାକି ୯ ଖଣ୍ଡରେ ପ୍ରକାଶିତ ହୋଇଛି ଏବଂ ଭାରତର ପ୍ରାୟ ସବୁ ପ୍ରାନ୍ତର ଭାଷାରେ ଅନୁବାଦିତ ହୋଇଛି ଆଜି ସାନ୍ତାଳୀ ଭାଷାର ପ୍ରଥମ ସଂସ୍କରଣ ଗୁରୁଜୀଙ୍କ କରକମଳ ରେ ଉନ୍ମୋଚିତ ହୋଇଛି।

ଏହି ଅବସରରେ ଉପସ୍ଥିତ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇ ଗୁରୁଜୀ ତାଙ୍କର ଅଭିଭାଷଣରେ ଆତ୍ମ ଚେତନାର ଉତ୍ତରଣ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଗୁରୁଜୀ କହିଥିଲେ ଆମେ ଯେଉଁ ବିଶ୍ୱକୁ ଦେଖୁଛୁ ତାହା ତୁଳନାରେ ଏହି ବିଶ୍ୱ ବ୍ରହ୍ମାଣ୍ଡ କେତେ ବ୍ୟାପକ ତାହା କଳ୍ପନା କରିବା ମଧ୍ୟ ସମ୍ଭବ ନୁହେଁ। ଏହି ପରିପ୍ରେକ୍ଷୀରେ ଆମର ସୀମିତ ଚେତନା ମଧ୍ୟରେ ଆମେ ଈଶ୍ୱର ଙ୍କ ସମ୍ପର୍କ ରେ ଏକ ସ୍ପଷ୍ଟ ଧାରଣା ପାଇ ପାରିବା ନାହିଁ। କେବଳ ଆମେ ଏତିକି ଚେଷ୍ଟା କରିବା ଉଚିତ ଯେ ନିଜେ କିଭଳି ନିଜର ଜୀବନକୁ ଖୁସିରେ ରଖିବା ଏବଂ ଅନ୍ୟମାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିବା। ଆମ ସମ୍ମୁଖରେ ଥିବା ଦୁଃଖୀ, ପୀଡିତ, ଅବହେଳିତ ଏବଂ ନିଷ୍ପେସିତ ବର୍ଗର ଲୋକକୁ ଦେଖିଲେ ତାକୁ ସାହାଯ୍ୟ କରିବା ଆମର ପରମ କର୍ତ୍ତଵ୍ୟ, ସମସ୍ତଙ୍କ ଭିତରେ ଈଶ୍ୱରୀୟ ଚେତନା, ସବୁ ମାନବ ନୁହେଁ ପ୍ରାଣୀ ମାନଙ୍କ ମଧ୍ୟରେ ମଧ୍ୟ ଈଶ୍ୱରଙ୍କ ସୃଷ୍ଟି କୁ ଦେଖିବା ଉଚିତ ବୋଲି କହିଥିଲେ।ଶେଷରେ ସ୍ବସ୍ତି ପ୍ରିମିୟମ ହୋଟେଲ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସେ ତାଙ୍କ ବକ୍ତବ୍ୟ ରେ ଗୁରୁଜୀ ଙ୍କ ଅଦ୍ଭୁତ ଶକ୍ତି, ତାଙ୍କର ଅଲୌକିକତା ଏବଂ ଅନୁଭୂତି ପ୍ରକାଶ କରିଥିଲେ ଯାହାକି ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ଏବଂ ଆନନ୍ଦର ସହିତ ଶୁଣିଥିଲେ।

ଗୁରୁଜୀଙ୍କର ୮୦ ତମ ଶୁଭ ଜନ୍ମଦିନ ଅବସରରେ ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଶେଷ କରି ଗୁରୁଜୀଙ୍କ ପ୍ରେରଣରେ ବିଭିନ୍ନ ମନ୍ଦିର ପକ୍ଷରୁ ଯେଉଁ ପିଲାମାନେ ଆମର ପରିଚୟ ବହନ କରୁଥିବା ଶାସ୍ତ୍ରୀୟ ଓଡିଶୀ ନୃତ୍ୟ, ଜଗନ୍ନାଥ ସଙ୍ଗୀତ ଭଜନ ଆଦି ନିୟମିତ ଭାବେ ଶିକ୍ଷଲାଭ କରୁଛନ୍ତି ସେହି ଶିଳ୍ପୀ ମାନେ ଆଜି ଗୁରୁଜୀଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ବିଶ୍ୱଜିତ ମହାପାତ୍ର ଶାନ୍ତନୁ ନାୟକ ଭଜନ ପରିବେଷଣ କରିଥିଲେ। ଶ୍ରୀ ଭାଗବତ ଟୁଙ୍ଗୀ, ଗୋପାଳପୁରର ଭକ୍ତମାନେ ପ୍ରଥମେ ଗୁରୁଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସୁସ୍ୱାଗତ ଜଣାଇଥିଲେ। ଭକ୍ତ ମାନଙ୍କ ଅନୁରୋଧ କ୍ରମେ ଗୁରୁଜୀ ଙ୍କର ଅନୁମତି ରେ ଜନ୍ମ ଦିନ କେକ୍ କାଟିଥିଲେ। ତାହା ପ୍ରସାଦ ସ୍ୱରୂପ ସମସ୍ତ ଭକ୍ତ ମାନଙ୍କୁ ବିତରଣ କରାଯାଇଥିଲା। ଶ୍ରୀ ଗୁରୁ ଭାଗବତ ଉପରେ ଏକ ନୂତନ ୱେବ ସାଇଟ ଉନ୍ମୋଚନ ହୋଇଥିଲା। ପୂଜ୍ୟ ଗୁରୁଜୀ ଏହି ୱେବ ସାଇଟ ଉନ୍ମୋଚନ କରି କହିଥିଲେ ଶ୍ରୀ ଗୁରୁ ଭାଗବତ ଆଜି ସମଗ୍ର ବିଶ୍ୱ ରେ ଆଦୃତ ହୋଇଛି, ଭାରତର ପ୍ରାୟ ୨୦ଟି ଭାଷାରେ ଗ୍ରନ୍ଥ ଅନୁବାଦିତ ହୋଇଛି ଏବଂ ଭକ୍ତ ମାନେ ନିୟମିତ ପାରାୟଣ କରୁଛନ୍ତି। ବିଭିନ୍ନ ସ୍ଥାନରେ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ମାନ ପ୍ରତିଷ୍ଠା ହୋଇଛି। ଭକ୍ତ ମାନଙ୍କ ଅନୁଭୂତି ଉପରେ ଏକ ସ୍ମରଣିକା ଭକ୍ତ ମଞ୍ଜରୀ ଉନ୍ମୋଚିତ ହୋଇଥିଲା।

Leave A Reply

Your email address will not be published.