ଓଡ଼ିଆ ନ୍ୟୁଜ୍: ଏକାଥରକେ ୨୪ କ୍ୟାରେଟ୍ ସୁନା ୧୧ ହଜାର ୭୭୦ ଟଙ୍କା ବଢ଼ିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି।୨୨ କ୍ୟାରେଟ୍ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଲା।୧୦ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି। ନିକଟ ଅତୀତରେ ଗୋଟିଏ ଦିନରେ ସୁନା ଦରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିନଥିଲା। ଆଜି ରୁପା କେଜି ୨୫ ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ୨୫ ହଜାର ଟଙ୍କା ହୋଇଯାଇଛି।
ଗତ ଚାରି ଦିନରେ ରୁପା କେଜି ୬୦ ହଜାର ଟଙ୍କା ବଢ଼ିଛି। ଚଳିତ ମାସ ୨୩ ତାରିଖ ପରଠାରୁ ରୁପା ଦର ଲଗାତାର ଭାବେ ବୃଦ୍ଧି ପାଉଛି। ଏହି ୭ ଦିନରେ ତାହା ୮୫ ହଜାର ଟଙ୍କା ମହଙ୍ଗା ହୋଇଛି। ଆମେରିକାର ଫେଡେରାଲ ରିଜର୍ଭର ସୁଧ ନିଷ୍ପତ୍ତି ଉପରେ ସମସ୍ତ ନଜର ରହିଥିବାରୁ ସୁନା ଓ ରୁପା ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ଏହା ବ୍ୟତୀତ ବାଣିଜ୍ୟ କଟକଣା, ଭୂରାଜନୈତିକ ସଙ୍କଟ ଓ ଶକ୍ତିଶାଳୀ ଡଲାର ମଧ୍ୟ ଏହି ଦୁଇ ମୂଲ୍ୟବାନ ଧାତୁ ଦରବୃଦ୍ଧିର କାରଣ ହୋଇଛି। ଅନିଶ୍ଚିତତା ସମୟରେ ନିବେଶକମାନେ ସୁନା ଓ ରୁପା ଭଳି ସୁରକ୍ଷିତ ମାଧ୍ୟମରେ ନିବେଶ କରିବାକୁ ପସନ୍ଦ କରିଥାନ୍ତି। ସେମାନେ ନିବେଶ ବଢ଼ାଉଥିବାରୁ ଉଭୟ ସୁନା ଓ ରୁପାର ଚାହିଦା ବଢ଼ିବା ସହ ତାହାର ଦରବୃଦ୍ଧି ଘଟିଛି।