ଶ୍ରୀମନ୍ଦିରରେ ଗଜୋଦ୍ଧାରଣ ବେଶ ନୀତି ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ମାଘ ପୂର୍ଣ୍ଣମୀ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଶେଷ ହେଉଛି । ପ୍ରମୁଖ ସୋଲ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଠାକୁରଙ୍କ ଶ୍ରୀହସ୍ତ ପଦ ଆଦି ବେଶଭୂଷା ତିଆରି ଶେଷ ପ୍ରାୟ । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ଚୂଳ, କିରୀଟ, କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ହତା, ବାଜୁବନ୍ଧ, ହାତଫେର, ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ବାଙ୍କି, ପାହୁଡ଼, ଗୋଡଖଡ଼ୁ, ହାତମାଳ, ନାକଚଣା, ପଦ୍ମକଢ଼ି ଆଦି ଅଳଙ୍କାର ସବୁ ଠାକୁର ଲାଗି ହେବେ ।

ବଡ଼ ମନଲୋଭା ଠାକୁରଙ୍କ ଏହି ବେଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚର୍ତୁଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଲାଗି ହୋଇ ଗରୁଡ଼ ଉପରେ ବସିବା ଭଙ୍ଗୀରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ । ସମ୍ମୁଖରେ ଦୁଇ ହସ୍ତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ଥିବେ । ସିଂହାସନ ତଳକୁ ହାତୀ ଓ କୁମ୍ଭୀର ସଜ୍ଜା ହୋଇଥିବେ । କୁମ୍ଭୀର ହାତୀକୁ ଆକ୍ରମଣ କରିବା ସମୟରେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗୀରେ ରହିଥିବେ । ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହେବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ଧରି ଦଣ୍ଡାୟମାନ ଥିବେ ।

Leave A Reply

Your email address will not be published.