ଓଡ଼ିଆ ନ୍ୟୁଜ୍: ବୋର୍ୱେଲରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ।ମାମୁ ଘରକୁ ଆସିଥିବା ଶିଶୁକନ୍ୟା ଖେଳିବା ବେଳେ ବୋରୱେଲ୍ରେ ଖସିପଡ଼ିଲା। ମୃତ ଶିଶୁକନ୍ୟା ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁକନ୍ୟା । ଚିକିତ୍ସା ପାଇଁ ଶିଶୁକନ୍ୟାକୁ ତୁରନ୍ତ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ମେଡିକାଲରେ ଏବଂ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଶିଶୁକନ୍ୟା ଜଣକ ତାଙ୍କ ମାମୁଁ ଘର ରାୟବାହାଦୁର ଲେନ୍କୁ ବୁଲିବାକୁ ଆସିଥିଲେ । ଶୁକ୍ରବାର ମଧ୍ୟାହ୍ନ ସମୟରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ମେଡିକାଲରେ ଚାଲିଥିବା କୋଠା କାମ ପାଇଁ ଖୋଳା ଯାଇଥିବା ବୋର୍ ଓ୍ବେଲ୍ ଭିତରେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତି ଥିବା ଲୋକମାନେ ଶିଶୁକନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ ଶିଶୁକନ୍ୟାର ମାମୁଁଙ୍କ ଅଭିଯୋଗ ଅନୁଯାୟୀ ମେଡିକାଲ କୋଠା ନିର୍ମାଣ କରୁଥିବା ଶ୍ରମିକ ମାନଙ୍କୁ ସେ ବାରମ୍ବାର ବୋର୍ ଓ୍ବେଲ୍କୁ ପୋତିବା ପାଇଁ କହିଥିଲେ । କିନ୍ତୁ କୋଠା ନିର୍ମାଣ ଦାୟିତ୍ବରେ ଥିବା ବ୍ୟକ୍ତିମାନେ କୌଣସି ପଦକ୍ଷେପ ନେଇନଥିବାରୁ ଆଜି ତାଙ୍କ ଦେଢ ବର୍ଷର ଶିଶୁକନ୍ୟାର ପ୍ରାଣ ଚାଲି ଯାଇଛି ବୋଲି ଅଭିଯୋଗ ହୋଇଛି ।