ଓଡ଼ିଆ ନ୍ୟୁଜ୍: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେପରି ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନି ସେଥିପାଇଁ ଗୁରୁତ୍ବ। ଚଳିତ ଖରିଫ୍ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଲାଣି। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି। ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି।
ମାର୍ଚ୍ଚ ୩୧ରେ ରାଜ୍ୟରେ ଶେଷ ହୋଇଥିଲା ଖରିଫ ଧାନ କିଣା । ଅନେକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ କିଛି ବାକି ରହିଯାଇଥିଲେ । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା । ତେବେ ରାଜ୍ୟ ଯୋଗାଣ ବିଭାଗର ଘୋଷଣା ଅନୁସାରେ ମାର୍ଚ୍ଚ ୩୧ ତାରିଖ ଖରିଫ୍ ଧାନ କିଣାର ଶେଷ ତାରିଖ ଥିଲା । ହେଲେ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ବଳକା ଧାନ ରହିଯାଇଥିଲା । ଚାରିଆଡୁ ବିରୋଧର ସ୍ୱର ଉଠିଥିଲା । ଯାହାଫଳରେ ଏବେ ଚାଷୀଙ୍କ ଧାନ କିଣା ପାଇଁ ସରକାର ତାରିଖ ବୃଦ୍ଧି କରିଛନ୍ତି । ଧାନ କିଣା ଅବଧିକୁ ଆହୁରି ୭ ଦିନ ବଢ଼ାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।