ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA।ଅପରାଧିକ ଲିଙ୍କ୍, ଆତଙ୍କୀ ହମ୍ଲା ସମ୍ପର୍କିତ ତଦନ୍ତ କରିବ NIA।ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକର ମୃତ୍ୟୁ ହୋଇ ସାରିଛି। ସେହେନୱାଜ ଓ ତାର ମାଆ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।ବିସ୍ଫୋରଣ ଘଟଣାରେ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ସନ୍ଦେହ ବଢ଼ିଛି।
ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମୁଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ୍ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମୁଫିର ଗାର୍ଲଫ୍ରେଣ୍ଡକୁ ଅଧିକ ପଚରାଉଚରା କରୁଛି NIA ।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।
ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ NIA ଆରମ୍ଭ କରିଥିଲା । NIAର ଟିମ୍ ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଥିଲା । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା ସାଇଣ୍ଟିଫିକ୍ ଟିମ୍ । ଏହି ଘଟଣାରେ ଆହତଙ୍କ ନାଁରେ ପୂର୍ବରୁ ରହିଛି ସଙ୍ଗୀନ ଅପରାଧିକ ମାମଲା । ଏମାନେ କୌଣସି ବଡ଼ ଧରଣର କାଣ୍ଡ ଘଟାଇବାକୁ ବୋମା ଭିଡ଼ୁଥିବା କୁହାଯାଉଥିଲା । ଏଥିପାଇଁ ଏମାନଙ୍କୁ ସୁପାରି ମିଳିଥିଲା । ତାରିଖ ବି ଫିକ୍ସ ହୋଇସାରିଥିଲା । ବୋମା ଭିଡ଼ିବାରେ ଏମାନେ ଯଦି ସଫଳ ହୋଇଥାନ୍ତେ ତେବେ ଘଟାଇଥାନ୍ତେ ବଡ଼ ଧରଣର ଅପରାଧ । ହେଲେ ତା ପୂର୍ବରୁ ସବୁ କିଛି ଫସର ଫାଟି ଯାଇଥିଲା ।