ଓଡ଼ିଆ ନ୍ୟୁଜ୍: ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍ହଲ ମିଟିଂ, ଯୋଗଦେଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଜଣାଇ ଗତ ୧୨ ବର୍ଷ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ କରିଛନ୍ତି। କିନ୍ତୁ, ସବୁଠାରୁ ବୈପ୍ଲବିକ ନିଷ୍ପତି ହେଉଛି ୨୦୨୩ ମସିହାର ନାରୀ ଶକ୍ତି ବନ୍ଦନ ଅଧିନିୟମ। ଯାହା ସ୍ୱାଧୀନତ୍ତୋର ଭାରତରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଆୟୋଜିତ ନାରୀଶକ୍ତି ବନ୍ଦନ ଟାଉନ ହଲ୍ ମିଟିଂ ଅବସରରେ କହିଛନ୍ତି।
ଭୁବନେଶ୍ବର ରେଳ ଅଡିଟୋରିଅମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ କେବଳ ଏକ ଆଇନ୍ ନୁହେଁ, ବରଂ କୋଟି କୋଟି ମହିଳାଙ୍କ ସ୍ବପ୍ନର ଉଡାଣ। ଏହି ଅଧିନିୟମ ଦ୍ବାରା ଲୋକସଭା ଓ ବିଧାନସଭା ଗୁଡିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସୁନିଶ୍ଚିତ ହୋଇଛି। ଇତିହାସ ଜାଣିଛି, ଯେତେବେଳେ ଜଣେ ନେତୃତ୍ବ ନିଅନ୍ତି, ସେତେବେଳେ ସେ ନିଜେ ସଶକ୍ତ ହେବା ସହିତ ସମଗ୍ର ସମାଜ ଓ ରାଷ୍ଟ୍ର ଉପକୃତ ହୋଇଥାଏ। ଭାରତୀୟ ଗଣତନ୍ତ୍ରରେ ଆଜି ମହିଳାମାନେ କେବଳ ଭୋଟର ନୁହନ୍ତି ବରଂ ସକ୍ରିୟ ଭାଗିଦାର ହୋଇଛନ୍ତି। ଆମ ଓଡିଶାରେ ତୃଣମୂଳସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତରାଜ ଅନୁଷ୍ଠାନ ମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟକରି ଦକ୍ଷତା ପ୍ରମାଣିତ କରିଛନ୍ତି। ତେଣୁ, ପ୍ରଧାନମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ମହିଳାମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ ହେବାକୁ ସହାୟକ ହେବ। ଆଗାମୀ ଦିନରେ ଏହି ଅଧିନିୟମ ମାଧ୍ୟମରେ ମହିଳାଙ୍କ ପ୍ରତିନିଧିତ୍ବ ଆହୁରି ବ୍ୟାପକ ହେବ। ଏହି ଅଧିନିୟମ ମହିଳା ବିକାଶ କ୍ଷେତ୍ରରେ ମୋଦୀଜୀଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି ସେ କହିଥିଲେ। ବିକଶିତ ଭାରତ ପାଇଁ ସମୃଦ୍ଧ ଓଡିଶା ଗଠନ ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଏହି ଯାତ୍ରାରେ ଓଡିଶାର ମା ଓ ଭଉଣୀମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହିତ ଆତ୍ମ ନିର୍ଭର କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା। ସୁଭଦ୍ରା ଠାରୁ ଆରମ୍ଭ କରି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଏହି ଯାତ୍ରା ଓଡିଶାର ପ୍ରତିଟି ଘରେ ସମୃଦ୍ଧି ଆଣିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିକଶିତ ରାଷ୍ଟ୍ର ଗୁଡିକରେ ମହିଳା ମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ ଭାଗିଦାରୀ ଖୁବ୍ ଅଧିକ ରହିଛି। ତେଣୁ, ନାରୀ ଶକ୍ତିର ବିକାଶ ହେଉଛି ବିକାଶର ଏକ ମୁଖ୍ୟ ଆଧାର। ନାରୀ ଶକ୍ତିର ଉନ୍ନତି ପାଇଁ ଏବେ ସାରା ଭାରତ ଆଗେଇ ଆସିଛି। ଭାରତୀୟ ନାରୀ ଆଜି ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ବ କରୁଛନ୍ତି। ଯୁଦ୍ଧ କ୍ଷେତ୍ରରେ ମଧ୍ୟ। ଅପରେସନ ସିନ୍ଦୁର ତା’ର ଜ୍ବଳନ୍ତ ପ୍ରମାଣ। ବର୍ତ୍ତମାନ ସମୟ ଆସିଛି, ବିଧାନସଭା ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ନାରୀ ଶକ୍ତିର ନେତୃତ୍ବକୁ ଆମକୁ ସ୍ବୀକାର କରିବାକୁ ପଡିବି। ଏଥିପାଇଁ ସମସ୍ତେ ଆଗେଇ ଆସି ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଅକୁଣ୍ଠ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଶିଷ୍ଟ କ୍ରୀଡାବିତ୍ ଶ୍ରୀମତୀ ଅନୁରାଧା ବିଶ୍ବାଳ, ଖ୍ୟାତନାମା ଓଡିଶୀ ନୃତ୍ବଶିଳ୍ପୀ ତଥା ଗୁରୁ ଡକ୍ଟର ଅରୁଣା ମହାନ୍ତି ପ୍ରମୁଖ ନାରୀ ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ତ୍ବକାଂକ୍ଷୀ ଅଧିନିୟମକୁ ଯୁଗୋପଯୋଗୀ ବୋଲି ଦର୍ଶାଇଥିଲେ।