ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କଲବଲ କରୁଛି ତାତି।ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁ ଗରମ ଓ ଗୁଳୁଗୁଳି ନାକେଦମ୍ କରିବ । ସେପଟେ ୨୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ମଙ୍ଗଳବାର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩.୬ ଡିଗ୍ରୀ ରହିଥିଲା । ସମ୍ବଲପୁର ଓ ଟିଟିଲାଗଡ଼ରେ ୪୨.୫, ହୀରାକୁଦରେ ୪୨.୪, ବଲାଙ୍ଗୀରରେ ୪୨.୨, ଅନୁଗୁଳରେ ୪୨.୧ ଓ ସୋନପୁରରେ ୪୧.୭ ଡିଗ୍ରୀ ରେକର୍ଡ ହୋଇଛି ।
ପ୍ରଚଣ୍ଡ ତାତି ପାଇଁ ବଲାଙ୍ଗୀର ଜିଲ୍ଲାରେ ସବୁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ଛୁଟି ୨୫ ତାରିଖ ଯାଏ ବୃଦ୍ଧି କରାଯାଇଛି । ଗୁରୁବାର(୨୩ ତାରିଖ) ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ରାତି ବେଳା ଗରମ ଅନୁଭୂତ ହେବ । ୨୪ ଓ ୨୫ ତାରିଖରେ ମଧ୍ୟ ଏଭଳି ସ୍ଥିତି ରହିବ ।