ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡରେ ଏକା ଥରେ ୨୭ ନକ୍ସଲଙ୍କ ଆତ୍ମସମର୍ପଣ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ। ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ ୩୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା।ଆତ୍ମସମର୍ପଣ କରିଥିବା ଏହି ନକ୍ସଲ ମାନଙ୍କ ମଧ୍ୟରୁ ୨୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ମିସିର ବେସରା ଓରଫ ସାଗରଜୀ ଏବଂ ଅସୀମ ମଣ୍ଡଳଙ୍କ ଟିମର ଶୀର୍ଷ କମାଣ୍ଡର ଓ ମାରକ ଦସ୍ତା ସଦସ୍ୟ ଥିଲେ । ସେମାନେ କୋଲହାନ ଏବଂ ସରଣ୍ଡା ଜଙ୍ଗଲର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସକ୍ରିୟ ଥିଲେ ।
ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମଧ୍ୟରେ ୬ ଜଣ ସବ୍-ଜୋନାଲ କମିଟି ସଦସ୍ୟ, ୬ ଜଣ ଏରିଆ କମିଟି ସଦସ୍ୟ ଏବଂ ୧୩ ଜଣ ଦସ୍ତା ସଦସ୍ୟ ଅଛନ୍ତି । ଏହା ସହିତ ଗୁମ୍ଲା ଜିଲ୍ଲାରେ ସକ୍ରିୟ ଥିବା ଜେଜେଏମପି ସଂଗଠନର ୨ ଜଣ ନକ୍ସଲ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି । ପୋଲିସଙ୍କ କହିବା ଅନୁସାରେ, ଏହି ସାମୂହିକ ଆତ୍ମସମର୍ପଣ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଦୁର୍ବଳ ହେଉଥିବାର ସ୍ପଷ୍ଟ ସଙ୍କେତ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ ମୋଟ ୩୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ସେମାନଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ଗୁରୁତର ମାମଲା ରହିଛି ।