ଓଡ଼ିଆ ନ୍ୟୁଜ୍: ତ୍ବିଶା ମୃତ୍ୟୁ ମାମଲାରେ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମିଳିଲା ଅନୁମତି। ତ୍ବିଶାଙ୍କ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଅନୁମତି। ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ଡାକ୍ତର ପଠାଇବାକୁ ଦିଲ୍ଲୀ ଏମ୍ସକୁ ନିର୍ଦ୍ଦେଶ। ଭୋପାଳ ଆସି ଦ୍ବିତୀୟ ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ। ଆଗୁଆ ଜାମିନ୍ ଆବେଦନ ପ୍ରତ୍ୟାହାର କଲେ ତ୍ବିଶାଙ୍କ ସ୍ବାମୀ ସମର୍ଥ।କୋର୍ଟରେ ସରେଣ୍ଡର ପାଇଁ ସମର୍ଥ ପ୍ରସ୍ତୁତ ଥିବା କହିଲେ ଓକିଲ।
ମଧ୍ୟପ୍ରଦେଶ ହାଇକୋର୍ଟ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ କରିବା ପାଇଁ ମଞ୍ଜୁରି ଦେଇଛନ୍ତି । ତ୍ୱିଶାଙ୍କ ପରିବାର ପକ୍ଷରୁ ଦ୍ୱିତୀୟ ପୋଷ୍ଟମର୍ଟମ ପାଇଁ ଆବେଦନ ଦାଖଲ କରାଯାଇଥିଲା, ଏହା ଉପରେ ଶୁଣାଣି କରି ହାଇକୋର୍ଟ ପୋଲିସକୁ ଏହି ଆଦେଶ ଦେଇଛନ୍ତି । ଶୁଣାଣି ସମୟରେ ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ଓକିଲ କହିଥିଲେ, ପୁଣି ଥରେ ପୋଷ୍ଟମର୍ଟମ ପାଇଁ କୌଣସି ଆପତ୍ତି ନାହିଁ । କିନ୍ତୁ ସେ ଦାବି କରିଥିଲେ ଯେ ପୋଷ୍ଟମର୍ଟମ ପରେ ମୃତଦେହକୁ ଶାଶୁ ଘର (ଅଭିଯୁକ୍ତ ପରିବାର)କୁ ହସ୍ତାନ୍ତର କରାଯିବ ।
ସଲିସିଟର୍ ଜେନେରାଲ୍ କହିଥିଲେ ଯେ ଦ୍ୱିତୀୟ ପୋଷ୍ଟମର୍ଟମ କାହା ଉପରୁ ଆଙ୍ଗୁଠି ଉଠାଇବା ନୁହେଁ, ବରଂ ସମସ୍ତ ପକ୍ଷଙ୍କ ମଧ୍ୟରେ ବିଶ୍ୱାସ ବଢାଇବା ପାଇଁ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ରିପୋର୍ଟର ସଠିକତା କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ ଦକ୍ଷତା ଉପରେ ତାଙ୍କର କୌଣସି ସନ୍ଦେହ ନାହିଁ ।
ଶୁଣାଣି ବେଳେ ବରିଷ୍ଠ ଓକିଲ ମୃଗେନ୍ଦ୍ର ସିଂହ କହିଛନ୍ତି ଯେ ସମର୍ଥ ସିଂହ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରି ଟ୍ରାଏଲ୍ କୋର୍ଟରେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ତେବେ ଅନୁରୋଧ କରିଥିଲେ ଯେ ଟ୍ରାଏଲ୍ କୋର୍ଟକୁ ସେହି ଦିନ ତାଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଉ । କିନ୍ତୁ ସଲିସିଟର ଜେନେରାଲ ଏହାକୁ ବିରୋଧ କରିଥିଲେ । ଏସଜି ପଚାରିଥିଲେ, “ତଦନ୍ତର ଏହି ପର୍ଯ୍ୟାୟରେ ଅଭିଯୁକ୍ତର କୌଣସି ଅଧିକାର ଅଛି କି ? ସେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ମୋର ଏଥିରେ କୌଣସି ସମସ୍ୟା ନାହିଁ । ପୋଷ୍ଟମର୍ଟମ ସମ୍ପର୍କରେ କୋର୍ଟରେ କଥା ହେବାର ତାଙ୍କର କୌଣସି ଅଧିକାର ନାହିଁ ।