ଓଡ଼ିଆ ନ୍ୟୁଜ୍: ରାୟଗଡ଼ା କୋଲନରା ବ୍ଲକ୍ RWSS ସହକାରୀ ଯନ୍ତ୍ରୀ ମଳୟ ନାୟକ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ସହକାରୀ ଯନ୍ତ୍ରୀଙ୍କ ଆୟ ଠାରୁ ୧୦୧ ପ୍ରତିଶତ ଅଧିକ ସଂପତ୍ତି ଠାବ। ଯନ୍ତ୍ରୀଙ୍କର ୨ଟି ବହୁତଳ କୋଠା, ୪ଟି ଦାମୀ ପ୍ଲଟ୍, ୩୫୧ ଗ୍ରାମ୍ ସୁନା ଅଛି।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୬ ଜଣିଆ ଟିମ୍ ରାୟଗଡା ରୋହିତ କଲୋନୀ ସ୍ଥିତ ଯନ୍ତ୍ରୀଙ୍କ ଘରେ ଯାଞ୍ଚ୍ କରିଥିଲେ । ସେହିପରି ବ୍ରହ୍ମପୁର ଓ ଅନ୍ୟ ସମ୍ପର୍କୀୟଙ୍କ ୫ଟି ସ୍ଥାନାରେ ଚଢାଉ କରିଥିଲା । ସହକାରୀ ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଓ ବ୍ୟାଙ୍କର ପାସ୍ ବୁକ୍ ସହ ଅନ୍ୟ ଆସବାବପତ୍ର ଜବତ କରିଥିଲା । ତେବେ ତଦନ୍ତ ବେଳେ ସହକାରୀ ଯନ୍ତ୍ରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଠୋସ୍ ପ୍ରମାଣ ପାଇଥିଲା ।
ସହକାରୀ ଯନ୍ତ୍ରୀ ମଳୟ ନାୟକ ଆୟଠାରୁ ପ୍ରାୟ ୧୦୧ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । ବ୍ରହ୍ମପୁର ଅଞ୍ଚଳରେ ୨ଟି ବହୁତଳ କୋଠା, ୪ଟି ଦାମି ପ୍ଲଟ୍, ୩୫୧ ଗ୍ରାମର ସୁନା, ବ୍ୟାଙ୍କ ଓ ପୋଷ୍ଟାଲରେ ୨୬,୯୯,୯୫୨ ଟଙ୍କା, ଗୋଟିଏ ଚାରିଚକିଆ ଯାନ ରହିଥିବା ଭିଜିଲାନ୍ସ ସ୍ପଷ୍ଟ କରିଛି । ତେବେ ତଦନ୍ତ ପରେ ଆଜି ବ୍ରହ୍ମପୁରର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଯନ୍ତ୍ରୀ ମଳୟ ନାୟକଙ୍କୁ ହାଜର କରାଯିବା ସହ ଜେଲକୁ ପଠାଯାଇଛି ।