ଓଡ଼ିଆ ନ୍ୟୁଜ୍: କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ କଡ଼ା ଆକ୍ସନ । ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଦକ୍ଷିଣାଞ୍ଚଳ ଆଇଜି, କବିସୂର୍ଯ୍ୟନଗର ଥାନା ସ୍ୱାଧୀନ ଦାୟିତ୍ୱରେ ଥିବା ଆଇପିଏସ ନୀତୀଶ ମିଶ୍ରାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏହା ସହ ତିନି ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ SI ସମୀର ରାଉତ, ASI ବୈକୁଣ୍ଠ ନାଥ ଜେନା , କନେଷ୍ଟବଳ ସୁମନ କୁମାର ସାହୁ। ସେହିଭଳି ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ସବୁଦିନ ପାଇଁ ବହିଷ୍କାର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ବାଦ୍ କବିସୂର୍ଯ୍ୟନଗର ଓ ବାଲିଚ୍ଛାଇ ଫାଣ୍ଡିର ଅନ୍ୟ କର୍ମଚାରୀଙ୍କୁ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି।
ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଯୁବକ ହେଉଛନ୍ତି ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ । ସୁଶାନ୍ତଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ଯୁବକକୁ ଥାନା ପରିସରରେ ଅମାନୁଷିକ ଭାବେ ପିଟିବା ସହ ଦେହରେ ଗରମ ପାଣି ଓ ମରିଚଗୁଣ୍ଡ ପକାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି।ସୁଶାନ୍ତ ସୁବୁଳିଆ ଗ୍ରାମର ଏକ ପଥର କୁଆଁରିରେ କାମ କରୁଥିଲେ । ବେଆଇନ ପଥର କୁଆଁରିରେ କିଛି ଗଣ୍ଡଗୋଳକୁ ନେଇ ଗତ ୨୫ ତାରିଖ ଦିନ ପୋଲିସ ସୁଶାନ୍ତକୁ ତଦନ୍ତ ପାଇଁ ଥାନାକୁ ଉଠାଇ ଆଣିଥିଲା। ଆଉ ତଦନ୍ତ ଆଳରେ ପୋଲିସ ୨୫ ତାରିଖ ଠାରୁ ୩୧ ତାରିଖ ଯାଏଁ ସୁଶାନ୍ତକୁ ଥାନାରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ଓ ଦେହରେ ଗରମ ପାଣି ଢାଳି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l