କେତନଙ୍କ ଠାରୁ ୧ କୋଟି ଟଙ୍କା ନେଇ ଚେତନଙ୍କୁ ଦେଇଥିଲେ ସିୟା

0

ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ପୁଣେର ୨୬ ବର୍ଷୀୟ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ସୂତ୍ର ଅନୁଯାୟୀ, କେତନଙ୍କ  ଭାବି ପତ୍ନୀ ବିବାହ ଲାଗି ସପିଂ ତାଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ନେଇଥିଲେ। ହେଲେ ସେହି ଟଙ୍କାରେ ସପିଂ କରିବା ବଦଳରେ ସେ ନିଜ ପ୍ରେମିକ ସହ ମିଶି କେତନଙ୍କୁ ଜୀବନରୁ ମାରିଦେବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ସିୟା ଗୋୟଲ (୨୦) ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ (୨୨) ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ। ବିବାହ ପ୍ରସ୍ତୁତି ଓ ସପିଂ ପାଇଁ କେତନ ସିୟାଙ୍କୁ ୧ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସିୟା ସେହି ଟଙ୍କା ନେଇ ପ୍ରେମିକ ଚେତନଙ୍କୁ ଦେଇଦେଇଥିଲେ ।

ଚେତନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ, ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ସିୟାଙ୍କଠାରୁ ପ୍ରାୟ ୩ ବର୍ଷ ସମୟ ମାଗିଥିଲେ। ଗତ ଜୁନ୍ ୧୮ ତାରିଖରେ ପୁଣେର ପ୍ରସିଦ୍ଧ ଲୋହାଗଡ଼ ଦୁର୍ଗ ବୁଲିବାକୁ ଯାଇଥିବା ସମୟରେ, ସିୟା ଏବଂ ଚେତନ ମିଶି କେତନଙ୍କୁ ଏକ ଉଚ୍ଚ ପାହାଡ଼ ଉପରୁ ତଳକୁ ଠେଲି ହତ୍ୟା କରିଥିଲେ। ଏହି ଅପରାଧ ପରେ ନିଜକୁ ବଞ୍ଚାଇବା ପାଇଁ ସେମାନେ ଏକ ସୁଚିନ୍ତିତ ଯୋଜନା କରିଥିଲେ । କାହାର ସନ୍ଦେହ ନହେବା ପାଇଁ ସିୟା ହତ୍ୟାକାଣ୍ଡର ୩ ବର୍ଷ ପର୍ଯ୍ୟନ୍ତ କାହାକୁ ବିବାହ ନକରି ଏକାକୀ ରହିବାକୁ ସ୍ଥିର କରିଥିଲେ।

ଯେତେବେଳେ ଏହି ଘଟଣା ଲୋକଲୋଚନରୁ ଦୂରେଇଯିବ ଏବଂ ଚେତନ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇଯିବେ, ସେତେବେଳେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ। ଏହି ତିନି ବର୍ଷର ଗ୍ୟାପ୍ ପରେ ସିୟାଙ୍କ ପରିବାର ମଧ୍ୟ ଚେତନଙ୍କୁ ସହଜରେ ଗ୍ରହଣ କରିନେବେ ବୋଲି ସେମାନେ ଭାବିଥିଲେ। ପୋଲିସ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ସହ ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.