ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ ଦିନକ ପରେ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରେସ ମିଟରେ କୁହାଯାଇଛି ଯେ, ହିଟ ୱେଭ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସହ ପାନୀୟ ଜଳ ଓ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ଦ୍ୱିତୀୟ ସିଟିଂ ପରୀକ୍ଷା ଗୁଡିକ ପ୍ରଥମ ସିଟିଂ ରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି।
ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି। ନୋଡାଲ ସେଣ୍ଟର ମାନଙ୍କରେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋରାପୁଟ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରେ ୨୧ ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ୨୨ ତାରିଖ ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ବୁକଲେଟ ଓ ଓଏମଆର ସିଟ ପଠାଯାଇଛି।ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି। ସକାଳ ୮ ଟାରୁ ୧୦ ଟା ଯାଏ ଚାଲିବ ଏହି ପରୀକ୍ଷା।
୧୯୮୮ ମସିହା ପରୀକ୍ଷା ପରିଚାଳନା ଆଇନକୁ କଡାକଡି କରାଯାଇଛି।କୋଭିଡ ନିୟମକୁ କଡାକଡି ପାଳନ କରାଯିବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ପରୀକ୍ଷା ପରିଚାଳନାରେ ୩୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ପରୀକ୍ଷାର ସୁପରିଚାଳନା ଓ କପି ରୋକିବା ପାଇଁ ଚାରି ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ୬୫ ଟି ଡ଼ିଇଓ ସ୍ତରୀୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ବୋର୍ଡ ପକ୍ଷରୁ ୩୮ ଟି ସ୍ପେଶାଲ ସ୍କ୍ୱାର୍ଡ, ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ସମେତ ଜିଲା ପ୍ରଶାସନ ସ୍କ୍ୱାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବ। ପରୀକ୍ଷା ସରିବାର ଦୁଇ ଘଂଟା ମଧ୍ୟରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ବୋର୍ଡକୁ ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ବୋର୍ଡର ୱେବସାଇଟ www.bseodisha.ac.in ପରୀକ୍ଷା କେନ୍ଦ୍ରର ସମସ୍ତ ତଥ୍ୟ ରଖିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି।