ଚାକିରି ଛାଡ଼ିଲେ ISROର ୧୦୦ରୁ ଅଧିକ ବୈଜ୍ଞାନିକ

0

ଓଡ଼ିଆ ନ୍ୟୁଜ୍: ଚାକିରି ଛାଡ଼ିଲେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ୧୦୦ରୁ ଅଧିକ ବୈଜ୍ଞାନିକ। ଦେଶର ପ୍ରଥମ ଐତିହାସିକ ମାନବ ମହାକାଶ ମିଶନ ‘ଗଗନଯାନ’ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍ ପ୍ରୋଜେକ୍ଟ କାମ ଚାଲିଥିବା ସମୟରେ ସଂସ୍ଥାରେ ଏକ ବଡ଼ ‘ବ୍ରେନ୍ ଡ୍ରେନ୍’ ସଙ୍କଟ ଦେଖାଦେଇଛି । ବିଗତ କିଛି ମାସ ମଧ୍ୟରେ ଇସ୍ରୋର ୧୦୦ରୁ ଅଧିକ ଅଭିଜ୍ଞ ଏବଂ ବରିଷ୍ଠ ବୈଜ୍ଞାନିକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନଙ୍କର ଏହିପରି ହଠାତ୍ ସଂସ୍ଥା ଛାଡ଼ିବା ଦ୍ୱାରା ‘ଗଗନଯାନ’ ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏହି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବା ସହ ଇସ୍ତଫା ପ୍ରକ୍ରିୟାକୁ ରୋକିବା ପାଇଁ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମହାକାଶ ବିଭାଗ (DoS) ପକ୍ଷରୁ ଏକ ଜରୁରୀକାଳୀନ ମେମୋରାଣ୍ଡମ ଲେଟର ଜାରି କରାଯାଇଛି, ଯେଉଁଥିରେ କେତେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ।

ନୂତନ ନିୟମ ଅନୁଯାୟୀ, ଇସ୍ରୋର ବିଭିନ୍ନ କେନ୍ଦ୍ର ଯେପରିକି VSSC, URSC ଇତ୍ୟାଦିର ନିର୍ଦ୍ଦେଶକମାନଙ୍କଠାରୁ ବୈଜ୍ଞାନିକମାନଙ୍କ ଇସ୍ତଫା ଏବଂ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାର ଅଧିକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି । ଗଗନଯାନ ଏବଂ ଅନ୍ୟାନ୍ୟ ଜାତୀୟ ମିଶନରେ ସାମିଲ ଥିବା ‘ଗ୍ରୁପ୍ ଏ’ ର ବୈଜ୍ଞାନିକ ଏବଂ ବୈଷୟିକ କର୍ମଚାରୀଙ୍କ ଇସ୍ତଫା ପତ୍ରକୁ ସାଧାରଣ ପ୍ରଶାସନିକ ପ୍ରକ୍ରିୟାରେ ସିଧାସଳଖ ଗ୍ରହଣ କରାଯାଇପାରିବ ନାହିଁ । ଏଣିକି ଯେକୌଣସି ପ୍ରମୁଖ ବୈଜ୍ଞାନିକଙ୍କ ଇସ୍ତଫା ଆବେଦନର ଗଭୀର ଯାଞ୍ଚ କରାଯିବ । ଏହାର ଚୂଡ଼ାନ୍ତ ଫାଇଲ୍ ମଞ୍ଜୁରୀ ପାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ ନିକଟକୁ ପଠାଯିବ । ମହାକାଶ ବିଭାଗ କିମ୍ବା ଇସ୍ରୋ ପକ୍ଷରୁ ଏନେଇ କୌଣସି ଆଧିକାରିକ କାରଣ ସ୍ପଷ୍ଟ କରାଯାଇ ନାହିଁ ।

ତେବେ ବିଶେଷଜ୍ଞଙ୍କ ମତରେ, ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଘରୋଇ ମହାକାଶ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ସ ଏହାର ସବୁଠାରୁ ବଡ଼ କାରଣ । କେନ୍ଦ୍ର ସରକାର ସ୍ପେସ୍ ସେକ୍ଟରକୁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ସୁଯୋଗ ଖୋଲିବା ପରେ ବଜାରରେ ଏରୋସ୍ପେସ୍ ବିଶେଷଜ୍ଞଙ୍କ ଚାହିଦା ବହୁତ ବଢ଼ିଯାଇଛି । ଏହି ପ୍ରାଇଭେଟ୍ କମ୍ପାନୀଗୁଡ଼ିକ ଇସ୍ରୋର ଅଭିଜ୍ଞ ବୈଜ୍ଞାନିକମାନଙ୍କୁ ଆକର୍ଷଣୀୟ ନେତୃତ୍ୱ ପଦବୀ, ଉତ୍ତମ କାର୍ଯ୍ୟ ପରିବେଶ ଏବଂ ସରକାରୀ ଚାକିରି ତୁଳନାରେ ମୋଟା ଅଙ୍କର ଦରମା ଯାଚୁଛନ୍ତି । ଫଳରେ ବୈଜ୍ଞାନିକମାନେ ଘରୋଇ କମ୍ପାନୀ ଆଡ଼କୁ ମୁହାଁଉଛନ୍ତି ।

Leave A Reply

Your email address will not be published.