ଓଡ଼ିଆ ନ୍ୟୁଜ୍: ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୨୫ ଦିନର ଶ୍ରମଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ। ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ )VB G RAM G( ଅଧୀନରେ ଚୂଡ଼ାନ୍ତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ (ଜିଆର୍ଜିସି) ପ୍ରସ୍ତୁତ ଓ ବଣ୍ଟନ ହେବା ପର୍ଯ୍ୟନ୍ତ ଯୋଗ୍ୟ ପରିବାରଙ୍କୁ ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯିବ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ଡିପିସି), ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ବ୍ଲକ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ଜବ୍ କାର୍ଡଧାରୀମାନେ ନିଜର ଇ-କେୱାଇସି (e-KYC) ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି, ସେମାନଙ୍କର ଜବ୍ କାର୍ଡ ବୈଧ ଭାବେ ଗଣାଯିବ।
ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପରିଚୟ ନିଶ୍ଚିତ ହେବା ସହ ଯୋଜନାରେ ସ୍ୱଚ୍ଛତା ଆସିବ ବୋଲି ସରକାର ଆଶା କରୁଛନ୍ତି। ସେହିପରି ଯେଉଁ କାର୍ଡଧାରୀଙ୍କ ଇ-କେୱାଇସି ପ୍ରକ୍ରିୟା ଏପର୍ଯ୍ୟନ୍ତ ବାକି ରହିଛି, ସେମାନଙ୍କୁ ଶୀଘ୍ର ଏହା ସମ୍ପୂର୍ଣ୍ଣ କରାଇବା ପାଇଁ ଜିଲ୍ଲା ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। ଏହାଦ୍ୱାରା ଯୋଜନାର ସୁବିଧା ସଠିକ୍ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ଭୁଆ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହଜ ହେବ। ସରକାରଙ୍କ ଏହି ପଦକ୍ଷେପ ମନରେଗା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଡିଜିଟାଲ ଓ ଦାୟିତ୍ୱବୋଧପୂର୍ଣ୍ଣ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମନେ କରାଯାଉଛି ।
ଭିବି-ଜି ରାମ ଜି ଅଧିନିୟମ, ୨୦୨୫ ଅନୁଯାୟୀ, ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଆର୍ଥିକ ବର୍ଷରେ ୧୨୫ ଦିନର ଶ୍ରମଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ସୁବିଧା ପାଇବା ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡକୁ ପ୍ରମୁଖ ପରିଚୟପତ୍ର ଓ ଅଧିକାରପତ୍ର ଭାବେ ବ୍ୟବହାର କରାଯିବ। ଅନ୍ତରୀଣ କାର୍ଡ ବଣ୍ଟନର ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରାମ ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି। କାର୍ଡ ପ୍ରଦାନ ପରେ ହିତାଧିକାରୀଙ୍କଠାରୁ ପ୍ରାପ୍ତି ସ୍ୱୀକୃତି ସଂଗ୍ରହ କରାଯିବ ଏବଂ ସେଥିପାଇଁ ପୃଥକ ନିବନ୍ଧନୀ ସଂରକ୍ଷଣ କରାଯିବ। ଚୂଡ଼ାନ୍ତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ବଣ୍ଟନ ପରେ ବର୍ତ୍ତମାନର ମନରେଗା ଜବ୍ କାର୍ଡ କିମ୍ବା ଅନ୍ତରୀଣ କାର୍ଡକୁ ବାତିଲ୍ କରି ନୂଆ କାର୍ଡ ପ୍ରଦାନ କରାଯିବ।