ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

0

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ। ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ଼ ହୋଇଥିଲା। ଲମ୍ବା ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ। ଆଜି ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଠିଆ ହୋଇ ଅଧିକାଂଶ ଭକ୍ତ ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିବା ପରେ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କର ଅନେକ ଗୁଡ଼ିଏ ନୀତି କାନ୍ତି ଥିବାରୁ ପହୁଡ କରାଯାଇନଥିଲା। ତେବେ ଆଜି ସକାଳ ୯ଟା ୫୫ରେ ମଙ୍ଗଳ ଆଳତି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସକାଳୁ ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ବ୍ୟାରିକେଡ଼ରେ ଦୀର୍ଘ ସମୟ ଅପେକ୍ଷା କରି ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଉଭୟ ସାହାଣ ମେଲା ଓ ପରିମାଣିକ ଟିକେଟ ଦର୍ଶନ ଚାଲିଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ୫୦ହଜାରରୁ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଧୂପରେ ଆଡପ ଅବଢ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି ସେବାୟତ। ତେବେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ଭକ୍ତମାନେ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଠିଆ ହୋଇ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।

ବ୍ୟାରିକେଡ଼ରେ ସେଡ୍ ବା ଛାଇ ବ୍ୟବସ୍ଥା ହୋଇନଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଯାହାକୁ ନେଇ ଭକ୍ତମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି, ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା। ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଏହି ଅଧର ପୋଛା ନୀତି ସମ୍ପାଦିତ ହୋଇଥିଲା। ଆଜି ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ବନକ ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ରାତି ୯ଟାରୁ ରାତି ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖରା ଓ ପ୍ରବଳ ଗୁଳୁଗୁଳିକୁ ଖାତିର ନ କରି ଶରଧାବାଲିରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତ ଶ୍ରଦ୍ଧାଳୁ ବ୍ୟାରିକେଡ଼ରେ ପ୍ରବେଶ କରି ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ଜନ୍ମବେଦୀରେ ମହାପ୍ରଭୁଙ୍କର ଦର୍ଶନ କରୁଛନ୍ତି ।

ସେପଟେ ପ୍ରବଳ ଖରା ଓ ଗୁଳୁଗୁଳିରେ ଭକ୍ତମାନଙ୍କ ପାଇଁ ଦର୍ଶନରେ ଅବ୍ୟବସ୍ଥା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ହଠାତ୍ ପାଗରେ ପରିବର୍ତ୍ତନ ଯୋଗୁଁ ଆଜି ପ୍ରବଳ ଖରା ଓ ଗୁଳୁଗୁଳି ହେଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହିତ ଠାକୁରଙ୍କ ନୀତି କାନ୍ତି କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇପାରିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ଜାରି ରହିଥିବାବେଳେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଥିଲେ ମଧ୍ୟ ନୀତି କାନ୍ତିରେ ବିଳମ୍ବ ଘଟୁଛି। ଆସନ୍ତାକାଲି ହେରାପଞ୍ଚମୀ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.