ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷଣା: କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ଯୁବ ସାରସ୍ୱତ ସମ୍ମାନ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବାର୍ଷିକ ସମ୍ମାନାସ୍ପଦ ପୁରସ୍କାରାବଳୀ ଘୋଷଣା କରାଯାଇଛି। ଏହି କ୍ରମରେ କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ମର୍ଯ୍ୟାଦାଜନକ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ନିରବଚ୍ଛନ୍ନ ସାଧନା, କାବ୍ୟିକ ସୃଜନଶୀଳତା ଏବଂ ଯୁବ ଲେଖକ ଭାବେ ନିଜସ୍ୱ ସ୍ୱାକ୍ଷର ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ବିଚାରକମାନଙ୍କ ସୁପାରିଶକୁ ଆଧାର କରି ଏହି ପୁରସ୍କାର ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୩୦ ତାରିଖ ସଂଧ୍ୟାରେ ଆୟୋଜିତ ଅନୁଷ୍ଠାନର ୧୨୪ତମ ସମାବର୍ତ୍ତନ ଉତ୍ସବରେ ସ୍ୱତନ୍ତ୍ର ସଭାରେ ଅମରେନ୍ଦ୍ର ମାଧବଙ୍କୁ ଏହି ଯୁବ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ।

ଅମରେନ୍ଦ୍ର ମାଧବ ପୂର୍ବରୁ ନିଜ କାବ୍ୟଗ୍ରନ୍ଥ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ବସନ୍ତ ମୁଦୁଲି କବିତା ପୁରସ୍କାର, ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସୁବ୍ରତ ରଥ ସ୍ମାରକୀ କବିତା ପୁରସ୍କାର ସମେତ ଅନେକ ପ୍ରତିଷ୍ଠିତ ସମ୍ମାନରେ ଭୂଷିତ ହୋଇସାରିଛନ୍ତି। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଏହି ସମ୍ମାନ ଘୋଷଣା ହେବା ପରେ ବିଭିନ୍ନ ସାରସ୍ୱତ ଅନୁଷ୍ଠାନ, ସାହିତ୍ୟିକ ଓ ଶୁଭେଚ୍ଛୁମାନେ ତାଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.