ବଙ୍ଗୋପସାଗରରେ ଦାନା ବନ୍ଧୁଛି ଲଘୁଚାପ, ୧୦ ଆଡକୁ ନେଇପାରେ ବାତ୍ୟାର ରୂପ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି  ପ୍ରାକ୍‌ ଆକଳନ ଠିକ୍‌ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି ପ୍ରାକୃତିକ ଦୁର୍ବିପାକର ସହଜ ଠିକଣା ଓଡ଼ିଶା ପାଇଁ ।  ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେଇପାରେ । ଏହା ଆସନ୍ତା ୧୦/୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ । କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

ଗୁରୁବାର ବିଭିନ୍ନ ବିଦେଶୀ ମଡେଲ୍‍ ସହିତ ଆଇଏମଡି ଜିଏଫ୍‍ଏସ୍‍ ବାତ୍ୟା ସୃଷ୍ଟି ନେଇ ଆକଳନ କରିଥିଲେ। ଏହାସହିତ ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ସମ୍ପର୍କରେ ଆଭାସ ମିଳିଥିଲା। ହେଲେ ଶୁକ୍ରବାର ମଧ୍ୟାହ୍ଣ ସୁଦ୍ଧା ଲଘୁଚାପ ହେବା ନେଇ ଆଇଏମଡି ସ୍ପଷ୍ଟ କରିବା ପରେ ସମସ୍ତଙ୍କ ନଜର ଏବେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ରହିଛି। ବିଭାଗ ପକ୍ଷରୁ ଟୁଇଟ୍‍ ଯୋଗେ କୁହାଯାଇଛି ଯେ ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଟୁଇଟ୍‍ ଯୋଗେ ସୂଚନା ଦେଇଛି।

ଯଦି ଏହି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ଲଗାତାର ୪ ବର୍ଷ ହେବ ମେ ମାସରେ ବାତ୍ୟାର ରେକର୍ଡ କରିବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ମେ’ ମାସ ୬ ତାରିଖ ମଧ୍ୟରେ ଆଣ୍ଡାମାନସାଗରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହା ଅଧିକ ଶକ୍ତିଶାଳୀ ହେବ। ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହୋଇ ୧୦ ତାରିଖ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ। ପ୍ରାଥମିକ ସ୍ତରରେ ଅଧିକାଂଶ ମଡେଲ୍‍ ଏହି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଉଥିବା ବେଳେ ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହେବ। ଅଧିକାଂଶ ମଡେଲ୍‍ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କାରେ ସ୍ଥିର ହୋଇ ରହୁଥିବା ଜଣାପଡ଼ିଛି। ଯାହାପରେ ବିଦେଶୀ ସଂସ୍ଥା ସମେତ ଭାରତୀୟ ପାଣିପଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥାମାନେ ମଧ୍ୟ ଗତିବିଧି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.