ଭିଜିଲାନ୍ସ ଏକାଡେମୀରେ ଲାଞ୍ଚ କାରବାରର ଟ୍ରାପ ସମ୍ପର୍କୀତ ଦିନିକିଆ କର୍ମଶାଳା ଆୟୋଜିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ OSSC ଅଧ୍ୟକ୍ଷ ଶ୍ରୀ ଅଭୟ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଭିଜିଲାନ୍ସ ଏକାଡେମୀରେ ଲାଞ୍ଚ କାରବାରର ଟ୍ରାପ ସମ୍ପର୍କୀତ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଲାଞ୍ଚ କାରବାରର ଟ୍ରାପ ମାମଲା ଗୁଡିକର ତଦନ୍ତ ଓ ବିଚାର ପ୍ରକ୍ରିୟାକୁ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଏଭଳି କର୍ମଶାଳା ତଦନ୍ତକାରୀ ଅଧିକାରୀ ଓ ସରକାରୀ ଓକିଲଙ୍କୁ ନେଇ ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ତଥା ପୂର୍ବତନ ଡ଼ିଜିପି ଶ୍ରୀ ଅଭୟ ଉପସ୍ଥିତ ଅଧିକାରୀ ଓ ପବ୍ଲିକ ପ୍ରସ୍ୟୁକୁଟରଙ୍କୁ ବିଭିନ୍ନ ଟେକନିକ ସମ୍ପର୍କରେ ଉଦବୋଧନ ରଖିଥିଲେ। ଏବେ ଓଡିଶା ଭିଜିଲାନ୍ସ ଟ୍ରାପ ମାସ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟ୍ରାପ ମାମଲା ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ କରିବା ସହ ବୈଜ୍ଞାନିକ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।
୨୦୨୧ ମସିହା ଓ ତା ପୂର୍ବରୁ ରୁଜୁ ହୋଇଥିବା ଟ୍ରାପ ମାମଲା ଗୁଡିକର ତଦନ୍ତ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ସାଧାରଣ ବ୍ୟକ୍ତିମାନେ ସରକାରୀ ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ପାଇଁ ଶୋଷଣର ଶିକାର ହେଉଛନ୍ତି, ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ସେମାନଙ୍କର କ୍ଷତିର ଭରଣା ପାଇଁ ବିଭାଗ ଯତ୍ନଶୀଳ ହେଉଛି। ଟ୍ରାପ ଅଭିଯୁକ୍ତ ମାନଙ୍କୁ ବିଚାର ସମୟରେ ସହାୟତା ଯୋଗାଇଦେଉଥିବା ସରକାରୀ ଅଧିକାରୀ ଓ ରାଜସାକ୍ଷୀଙ୍କ ବିରୋଧରେ ଉଭୟ ଅପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ଗ୍ରହଣ କରୁଛି ଭିଜିଲାନ୍ସ। ଆଗାମୀ ଦିନରେ ଲାଞ୍ଚ କାରବାର ମାମଲାରେ ଅଧିକ ଯତ୍ନଶୀଳ ଭାବରେ ଅଧିକାରୀ ମାନେ କିଭଳି ଟ୍ରାପ କରିବା ସହ ଅଦାଲତରେ ବିଚାର ସମୟରେ ତଥ୍ୟ ପ୍ରମାଣ ଦେଇ ଦୋଷୀ ସାବ୍ୟସ୍ତ କରିହେବ ସେ ନେଇ ବିସ୍ତୃତ ଭାବରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।