ଅନିୟନ୍ତ୍ରୀତ ଦରଦାମ ବୃଦ୍ଧି ପାଇଁ ଆଠ ବର୍ଷ ପୂର୍ବ ସ୍ତରକୁ ଫେରିଲା ଓଡ଼ିଶା

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଅନିୟନ୍ତ୍ରୀତ ଦରଦାମ ବୃଦ୍ଧି ପାଇଁ ଦେଶ ଏବେ ସଙ୍ଗୀନ ସ୍ଥିତି ଆଡ଼କୁ ଗତି କରୁଛି । ଏତିକି ବେଳେ ବେଳେ କିଛି ରାଜ୍ୟରେ ଏହି ସ୍ଥିତି ଅତ୍ୟନ୍ତ ନୈରାଷ୍ୟଜନକ ରହିଛି। ମୁଦ୍ରାସ୍ଫୀତି ହାର ୮%ରୁ ଅଧିକ ରହିଥିବା ରାଜ୍ୟ ତାଲିକାରେ ଓଡ଼ିଶାର ନାମ ରହିଛି। ଏପ୍ରିଲରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୮.୧% ରହିଛି ଯାହା ଜାତୀୟ ହାର ୭.୮ ପ୍ରତିଶତରୁ ଅଧିକ। ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ସର୍ବୋଚ୍ଚ ସ୍ତର ୭.୮% ହୋଇଯିବାରୁ କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ଅଚାନକ ୦.୪% ବୃଦ୍ଧି କରିଥିଲା। ଜୁନ୍ ମାସରେ ହେବାକୁ ଥିବା ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ଆହୁରି ବଢ଼ିବ ବୋଲି କୁହାଯାଉଛି।

ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଥିବାରୁ ବିଭିନ୍ନ ସାମଗ୍ରୀ ଦର ଏପ୍ରିଲ୍ ମାସରେ ବଢ଼ିଛି ବୋଲି କୁହାଯାଉଛି। ବହୁ ରାଜ୍ୟରେ ଦରଦାମ୍ ସ୍ଥିତି ବେଲଗାମ ହୋଇଥିବା ବେଳେ କେରଳ ଓ ତାମିଲନାଡୁରେ କିନ୍ତୁ ତାହା ୫% ଭଳି ନିମ୍ନ ସ୍ତରରେ ରହିଛି। ସବୁଠୁ ବଡ଼ କଥା ହେଉଛି ଶେଷ ଥର ଲାଗି ୨୦୧୪ ମେ’ରେ ଦେଶର ମୁଦ୍ରାସ୍ଫୀତି ହାର ୮.୩୩% ଭଳି ଉଚ୍ଚ ସ୍ତରରେ ଥିଲା। ଆଠ ବର୍ଷ ପରେ ତାହା ପୁଣି ସେହି ସ୍ତରକୁ ଫେରିଛି ଯାହା ରିଜର୍ଭ ବ୍ୟାଙ୍କର ଚିନ୍ତା ବଢ଼ାଇଛି। ଗ୍ରାମାଞ୍ଚଳର ମୁଦ୍ରାସ୍ଫୀତି ହାର ଏପ୍ରିଲ୍ରେ ୮.୪% ଭଳି ଉଚ୍ଚ ସ୍ତରରେ ଥିବା ବେଳେ ତାହା ଅପେକ୍ଷାକୃତ କମ୍ ୭.୧% ସହରାଞ୍ଚଳରେ ରହିଛି। ଖାଦ୍ୟ ସାମଗ୍ରୀ ଦରବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳରେ ଦରଦାମ୍ ସ୍ଥିତି ବେଲଗାମ ହୋଇଛି। କିନ୍ତୁ ସହରାଞ୍ଚଳରେ ଇନ୍ଧନ ଓ ଯାତାୟାତ ମୂଲ୍ୟ ବୃଦ୍ଧିର ପ୍ରଭାବ ଅଧିକ ରହିଛି।

Leave A Reply

Your email address will not be published.